ପୁରାତନ ଛାତ୍ରଛାତ୍ରୀଙ୍କ ମହାମିଳନ ଉତ୍ସବ ‘ମିଳାପ ୨୦୨୬-୨୭’ ଅନୁଷ୍ଠିତ

10


ଶିକ୍ଷାନୁଷ୍ଠାନର ବିକାଶ ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ, ଯୋଗଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ


ଝାରସୁଗୁଡ଼ା, ୩୧: ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନର ବିକାଶ ଓ ଶିକ୍ଷାର ମାନବୃଦ୍ଧି ଲକ୍ଷ୍ୟରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପୁରାତନ ଛାତ୍ର ସଂଘ ପକ୍ଷରୁ ‘ମିଳାପ ୨୦୨୬-୨୭’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରର ବଢ଼େଇମୁଣ୍ଡାସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ, ଗୁଣାତ୍ମକ ଶିକ୍ଷାର ପ୍ରସାର ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ସମସ୍ତଙ୍କ ସହଯୋଗ ଓ ସମୂହ ପ୍ରୟାସର ଆବଶ୍ୟକତା ରହିଥିବା ସେ ମତପ୍ରକାଶ କରିଥିଲେ।

ଆଲୋଚନା ସଭାରେ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷାନୁଷ୍ଠାନର ସୁସମ୍ପର୍କ ସ୍ଥାପନ, ଏହାର ଉନ୍ନତି ପାଇଁ ସେମାନଙ୍କ ଅଭିଜ୍ଞତା ଓ ମତାମତର ଉପଯୋଗ ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ନିଜ ଶିକ୍ଷାନୁଷ୍ଠାନର ଗୌରବ ଓ ସୁନାମ ବୃଦ୍ଧି କରିବା ସହ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ। ଏଭଳି ମହାମିଳନ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ସହ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଓ ଉଚିତ ଦିଗ୍‌ଦର୍ଶନ ଯୋଗାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ କମ୍ବୁପାଣି ମେହେର, ବରିଷ୍ଠ ଅଧ୍ୟାପକ, ପୁରାତନ ଛାତ୍ରଛାତ୍ରୀ ଏବଂ ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.