ବନ୍ୟା ଜଳ କମିବା ପରେ ଇଙ୍ଗିନାଠିରେ ରିଲିଫ୍ ବଣ୍ଟନ

5

ମନ୍ତ୍ରୀ,ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ମନ୍ଦାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବେଲଗୁଣ୍ଠା, ୩୧।୧୦-(ଶିବରାମ ଚୌଧୁରୀ )-,ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବେଲଗୁଣ୍ଠା ବ୍ଲକ୍‌ର ଇଙ୍ଗିନାଠି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଞ୍ଚାୟତର ଛଅଟି ଗ୍ରାମରେ ବନ୍ୟାଜଳ ଘରେ ପଶି ଲୁଗାପଟା, ଧାନ ଓ ଚାଉଳ ଆଦି ନଷ୍ଟ ହୋଇଛି। ବନ୍ୟାଜଳ କମିବା ପରେ ଶନିବାର ଲୋକେ ଘରୁ ବାହାର କରିଥିବା ଭିଜା ଜିନିଷପତ୍ରକୁ ଦାଣ୍ଡରେ ଶୁଖାଉଥିବା ଦେଖିବାକୁ ମିଳିଛି।
ପ୍ରଭାବିତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଭାବେ ଚୁଡ଼ା ଓ ଗୁଡ଼ ବଣ୍ଟନ କରାଯିବା ସହ ସମସ୍ତ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବିଡିଓ ସିଙ୍ଗାପୁରମ୍ ହରି, ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ରିଲିଫ୍ ବଣ୍ଟନ ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ଅନ୍ୟପକ୍ଷରେ ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ରୋଗ ହଇଜା ଓ ମ୍ୟାଲେରିଆ ବ୍ୟାପିବା ଆଶଙ୍କା ଥିବାରୁ ମନ୍ଦାର ଗ୍ରାମରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଅଧୀକ୍ଷକ ଡାକ୍ତର ସବିତା ବେହେରାଙ୍କ ତତ୍ତ୍ୱାବଧାନରେ ଭ୍ରାମ୍ୟମାଣ ଚିକିତ୍ସା ଅଧିକାରୀ ଡାକ୍ତର ଜଗନ୍ନାଥ ପତି, ନର୍ସିଂ ଅଫିସର ଦ୍ୱିତିକୃଷ୍ଣ ନାୟକ, ସ୍ୱର୍ଣ୍ଣପ୍ରଭା ସାହୁ, ଫାର୍ମାସିଷ୍ଟ, ଆଶାକର୍ମୀ ତପସ୍ୱିନୀ ସୁବୁଦ୍ଧି ଓ ସ୍ୱାସ୍ଥ୍ୟକର୍ମୀ ମଞ୍ଜରୀ ବିଶ୍ୱାଳ ଶିବିରରେ ଉପସ୍ଥିତ ରହି ସେବା ଯୋଗାଇଥିଲେ। ବର୍ତ୍ତମାନ ସୁଦ୍ଧା ହଇଜା, ଥଣ୍ଡା ଓ କାଶ ଭଳି ଲକ୍ଷଣ ଦେଖାଯାଇନଥିବା ଡାକ୍ତର ପତି ସୂଚନା ଦେଇଛନ୍ତି। ।ବନ୍ୟାଜଳ ଓ କାଦୁଅ ପଶି ପାନୀୟ ଜଳ ଯୋଗାଣ ପାଇପ୍ ଫାଟିଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଜଳ ଯୋଗାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ପାଇପ୍ ମରାମତି ପରେ ଜଳ ଯୋଗାଣ ସ୍ୱାଭାବିକ ହେବ ବୋଲି ବିଡିଓ ସୂଚନା ଦେଇଛନ୍ତି।ତହସିଲଦାରଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ବେଲଗୁଣ୍ଠା ବ୍ଲକ୍‌ର ପ୍ରାୟ ୪ ହଜାର ଏକର ଚାଷଜମିରେ ବନ୍ୟାଜଳ ପଶିଛି। ପାଣି ସମ୍ପୂର୍ଣ୍ଣ ଛାଡ଼ିବା ପରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ। ଇଙ୍ଗିନାଠି-ଷଡ଼ଙ୍ଗୀପଲ୍ଲୀ ରାସ୍ତାର ମନ୍ଦାର ନିକଟରେ ରାସ୍ତା ଧୋଇ ହୋଇଯାଇଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରି ତୁରନ୍ତ ମରାମତି କରାଯିବ ବୋଲି ବିଡିଓ କହିଛନ୍ତି। ସେହିପରି ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଗୋବରା-ନୂଆପଡ଼ା ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଗତ ଦୁଇଦିନ ଧରି ସେ ନିଜ ଟିମ୍, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଜେପି କର୍ମୀଙ୍କ ସହ ବନ୍ୟାଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଶନିବାର ସନ୍ଧ୍ୟାରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଇଙ୍ଗିନାଠି ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ପ୍ରଶାସନିକ ଅଧିକାରୀଙ୍କ ସହ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଏପଟେ ବନ୍ୟାଜଳ ଧୀରେ ଧୀରେ କମୁଥିଲେ ମଧ୍ୟ ଏବେ ବି ୧୦୦ ଏକରରୁ ଅଧିକ ଚାଷଜମି ଜଳମଗ୍ନ ରହିଛି। ଚାଷଜମିର ଅବସ୍ଥା ଦେଖିଲେ ନଦୀର ଭ୍ରମ ସୃଷ୍ଟି ହେଉଛି। ଫାଇଲିନ୍ ଠାରୁ ଅର୍ଣ୍ଣବର ପ୍ରଭାବ ଅଧିକ ବୋଲି ଚାଷୀମାନେ କହିଛନ୍ତି। ଆଜି ସନ୍ଧ୍ୟା ସାତ ଘଣ୍ଟା ସମୟରେ ରାଜ୍ୟ ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା,ସୋରଡା ବିଧାୟକ ନୀଳମଣି ବିଷୋୟୀ ମନ୍ଦାର ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରଧାନ,ବିଡ଼ିଓ ଶ୍ରୀ ହରି ଏବଂ ଥାନା ଅଧିକାରୀ ରେବତୀ ଶବରଙ୍କ ଉପସ୍ଥିତିରେ ଅନ୍ତେବାସୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ଜନ ସାଧାରଣ ବଡ଼ ନଦୀ ଏବଂ ଲୋହରାଖଣ୍ଡି ନଦୀର ସ୍ଥିତିକୁ ନେଇ ସେମାନଙ୍କ ଦୁଃଖ ଜଣାଇଥିଲେ। ଏନେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା ଏବଂ ବିଧାୟକ ଶ୍ରୀ ବିଷୋୟୀ ଉଭୟ ନଦୀର ସୁଦୃଢ ହିଡ ନିର୍ମାଣ ଏବଂ ବନ୍ୟା ଜଳ ପରିଚାଳନା ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଏହାର ପ୍ରତିକାର ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କୁ ଆଜି ମନ୍ଦାର ଗ୍ରାମରେ କିଛି ମହିଳା କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିର ଭାଗ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଏନେଇ ଏହାକୁ ବିଚାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପୁରୁଷୋତ୍ତମପୁରରୁ ଆସି ଗତ ୫୦ ବର୍ଷ ଧରି ମନ୍ଦାର ଗ୍ରାମରେ ରହୁଥିବା କିଛି ଲୋକଙ୍କୁ ଘରର ପଟ୍ଟା ଯୋଗାଇ ଦେବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତହସିଲଦାରଙ୍କୁ ଏହା ଉପରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ। ମନ୍ଦାର ଠାରୁ ବେଲଗୁଣ୍ଠା ଯିବା ପାଇଁ ବଡ଼ ନଦୀର ନିର୍ମିତ ପୋଲ ଲୋକାର୍ପଣ ହେଲେ ଗମନାଗମନର ସୁବିଧା ହୋଇପାରିବ। ତେଣୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଜଣେ ବୃଦ୍ଧ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଚାରି ମାସ ଭିତରେ ଏହି ପୋଲ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଏବଂ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକଙ୍କ ପରିଦର୍ଶନ ସମୟରେ ବେଲଗୁଣ୍ଠା ମଣ୍ଡଳ ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ,ସରପଞ୍ଚ ଶୁକଦେବ ସ୍ୱାଇଁ,ସତ୍ୟବାନ ସ୍ୱାଇଁ,ଅଚ୍ୟୁତ ସାହୁ, ସମିତିସଭ୍ୟ ଶ୍ୟାମ ସୁନ୍ଦର ନାୟକ,ପ୍ରଫୁଲ୍ଲ ଗୌଡ଼,ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା,ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ପ୍ରମୋଦ ପ୍ରଧାନ,ସମିତି ସଭ୍ୟ ପ୍ରତିନିଧି ରାଜେଶ ସ୍ୱାଇଁ,ଯୁବ ନେତା ମନ୍ମୟ ଖଟେଇଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.