ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଜାତିଆଣ ଆକ୍ଷେପ, ଅସଦାଚରଣ ଓ ଦୁର୍ବ୍ୟବହାର ଭଳି ସଙ୍ଗିନ ଅଭିଯୋଗ ଆସିଛି। ଏନେଇ ବିଜେପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଏବଂ ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ଶିକ୍ଷାନୁଷ୍ଠାନ ସମେତ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଜେପୁର ବ୍ଲକ ଅନ୍ତର୍ଗତ ଟି. ଗଣ୍ଡପାଲି ଗ୍ରାମର ବିକ୍ରମ ସେଠ୍ ଗତ ୩୦ ଅକ୍ଟୋବର ୨୦୨୬ ଶୁକ୍ରବାର ଦିନ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବିଜେପୁର ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ମିଶ୍ର ତାଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏହାଦ୍ୱାରା ତାଙ୍କୁ ଅପମାନିତ ଓ ମାନସିକ ଭାବେ ଆଘାତ ପହଞ୍ଚିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।ଅଭିଯୋଗକୁ ଆଧାର କରି ବିଜେପୁର ପୁଲିସ ବିଏନ୍ଏସ୍ର ଧାରା ୧୧୫(୨), ୨୯୬ ଓ ୩୫୧(୨) ସମେତ ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନର ଧାରା ୩(୧)(r), ୩(୧)(s) ଓ ୩(୨)(va) ଅନୁଯାୟୀ ମାମଲା ରୁଜୁ କରିଛି। ଆଇନର ଏହି ଧାରାଗୁଡ଼ିକ ଜାତିଆଣ ଅପମାନ ଓ ଅତ୍ୟାଚାର ସମ୍ପର୍କିତ ଅଭିଯୋଗରେ ପ୍ରଯୁଜ୍ୟ ହୋଇଥାଏ। ତେବେ ଘଟଣାର ପ୍ରକୃତ ସତ୍ୟତା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ଅଭିଯୋଗକାରୀଙ୍କ କହିବା ଅନୁସାରେ, ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଆଚରଣକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଅଞ୍ଚଳରେ ଚର୍ଚ୍ଚା ହୋଇଆସୁଥିଲା। ଏବେ ଥାନାରେ ଆନୁଷ୍ଠାନିକ ଅଭିଯୋଗ ଓ ମାମଲା ରୁଜୁ ହେବା ପରେ ମହାବିଦ୍ୟାଳୟର କାର୍ଯ୍ୟପରିବେଶ ଏବଂ ଅଧ୍ୟକ୍ଷଙ୍କ ଆଚରଣକୁ ନେଇ ନାନା ପ୍ରଶ୍ନ ଉଠିଛି।
ଶିକ୍ଷାନୁଷ୍ଠାନ ହେଉଛି ଛାତ୍ରଛାତ୍ରୀଙ୍କ ଶିକ୍ଷା, ସଂସ୍କାର ଓ ନୈତିକତାର ମନ୍ଦିର। ଏଭଳି ଏକ ଦାୟିତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ଘଟଣାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଛି। ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ଉନ୍ମୋଚନ କରିବା ସହ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l
Sign in
Sign in
Recover your password.
A password will be e-mailed to you.