ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ଆବିର୍ଭାବ ଉତ୍ସବ ପାଳିତ ଅବସରରେ ନବ ଜୀବନ ଟ୍ରଷ୍ଟର ଅନ୍ତେବାସୀଙ୍କୁ ମନ ଶୁଦ୍ଧି ଓ ପ୍ରଭୁ ଚିନ୍ତନ କୌଶଳ ଶିକ୍ଷା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର କୁମାର ପୂର୍ଣ୍ଣିମା ତଥା ଶରତ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ‘ନବ ଜୀବନ ଟ୍ରଷ୍ଟ’ ପରିସରରେ ପ୍ରେମରସାବତାର ପରମପୂଜ୍ୟ ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ପବିତ୍ର ଆବିର୍ଭାବ ତିଥି ମହାସମାରୋହରେ ପାଳିତ ହୋଇଯାଇଛି। ବାଳ-ମୁକୁନ୍ଦ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀବାସର ଅନ୍ତେବାସୀ ବାଳିକାମାନଙ୍କୁ ନେଇ ଭକ୍ତିମୟ ସତ୍ସଙ୍ଗ , ମନ ଶୁଦ୍ଧି ଅଭ୍ୟାସ ଓ ସଂସ୍କାର ସେବା ଶିବିର ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ଶ୍ରୀ କୃପାଳୁ ଦର୍ଶନର ଚାରୋଟି ମୂଳ ଆଧ୍ୟାତ୍ମିକ ସୂତ୍ର— ମନ ହିଁ ବନ୍ଧନ ଓ ମୁକ୍ତିର କାରଣ , ରୂପଧ୍ୟାନ ବିନା ସାଧନା ଅସମ୍ପୂର୍ଣ୍ଣ , କର୍ମଯୋଗର ସରଳ ସୂତ୍ର (ହାତେ କାମ , ମନେ ରହୁ ରାଧାଶ୍ୟାମ) ଏବଂ ନିଷ୍କାମ ଶରଣାଗତି ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଶରତ ପୂର୍ଣ୍ଣିମାର ନିର୍ମଳ ଶୀତଳ ଚନ୍ଦ୍ରିକାରେ ନିଜ ମନକୁ ଚନ୍ଦ୍ର ପରି ଶାନ୍ତ ରଖି ଭଗବାନଙ୍କ ମଧୁର ରୂପକୁ ଚିନ୍ତନ (ରୂପଧ୍ୟାନ) କରିବାର ବ୍ୟବହାରିକ କୌଶଳ ସେ ଛାତ୍ରୀମାନଙ୍କୁ ଅଭ୍ୟାସ କରାଇଥିଲେ।
ଏହା ସହିତ ଋତୁ ପରିବର୍ତ୍ତନ ସମୟରେ ବାଳିକାମାନଙ୍କ ସ୍ୱାସ୍ଥ୍ୟ ଯତ୍ନ , ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ସାତ୍ତ୍ୱିକ ଆହାର ଗ୍ରହଣ ଉପରେ ପରାମର୍ଶ ଦିଆଯାଇଥିଲା। ବିଶେଷ କରି ଆସନ୍ତା ୨୭ ରୁ ୨୯ ତାରିଖରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ (ବାତ୍ୟା/ପ୍ରବଳ ବର୍ଷା) ଆଶଙ୍କା ଥିବାରୁ ଏଥିପାଇଁ ପୂର୍ବପ୍ରସ୍ତୁତି ସ୍ୱରୂପ ବିଶୁଦ୍ଧ ପାନୀୟ ଜଳ ମହଜୁଦ ରଖିବା , ଶୁଖିଲା ଖାଦ୍ୟ ସଂରକ୍ଷଣ , ଜରୁରୀକାଳୀନ ଆଲୋକ ବ୍ୟବସ୍ଥା ଏବଂ ନିରାପଦ ଆଶ୍ରୟରେ ରହିବା ନେଇ ଛାତ୍ରୀ ଓ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା କୃପାଳୁ ଦିବ୍ୟ ସଂକୀର୍ତ୍ତନ ଓ ଶ୍ରୀଜଗନ୍ନାଥ ସ୍ତୁତି ଗାନ କରାଯାଇଥିଲା। ଟ୍ରଷ୍ଟର କର୍ମକର୍ତ୍ତା ଓ ସହଯୋଗୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।