- ଜ୍ଞାନ, ନବସୃଜନ ଓ ସମାଜର ସେବା ପାଇଁ ଜୀବନ ବ୍ୟାପୀ ପ୍ରତିବଦ୍ଧତାର ଆହ୍ବାନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: – ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଆନୁଷ୍ଠାନିକ ଭାବେ ସମାବର୍ତ୍ତନ ସମାରୋହର ପ୍ରାରମ୍ଭ ଘୋଷଣା କରିଥିଲେ । ବିଶ୍ଵବିଦ୍ୟାଳୟର ଉପ-କୁଳପତି ଡ ଗୌତମ ଘୋଷ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଓ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଅବଗତ କରିଥିଲେ ।ପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ l ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଗବେଷଣା ମାଧ୍ୟମରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିବା ସହ ଶିକ୍ଷା ଓ ଆଧୁନିକ ଚିନ୍ତା ଦ୍ଵାରା ସମାଜ ସେବା ପାଇଁ କହିଥିଲେ। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ ( ଆଇଜର) ର ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ଗାଙ୍ଗୁଲୀ ଯୋଗ ଦେଇ ୨୧ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ ପଦକ, ସ୍ନାତକରେ ୧୧୫୨ ଜଣଙ୍କୁ ଓ ସ୍ନାତକତ୍ତୋରରେ ୩୬୯ ଜଣଙ୍କ ସହ ୩୨ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରିଥିଲେ । ଏହା ସହ ତିନି ଜଣ ଛାତ୍ରଛାତ୍ରୀଙ୍କୁ ବଳରାମ ପଣ୍ଡା ସ୍ମାରକୀ ପୁରସ୍କାରର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଗାଙ୍ଗୁଲୀ ବିଶ୍ବବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଓ ଅବଦାନ ପାଇଁ ପ୍ରଶଂସା କରିବା ସହ ଜ୍ଞାନ, ନବସୃଜନ୍ ଓ ସମାଜର ସେବା ପାଇଁ ଜୀବନ ବ୍ୟାପୀ ପ୍ରତିବଦ୍ଧତା ରହିବା ପାଇଁ ଆହ୍ବାନ ଦେଇଥିଲେ।
ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ସ୍ଥିତ ଆଦିତ୍ୟ ବିର୍ଲା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିସ୍ ଲିମିଟେଡ଼ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସଭାପତି ଡ ମଜାହାର ବେଗ ଯୋଗ ଦେଇ ଉତ୍ତମ ଚିନ୍ତାଧାରା ଓ ଗବେଷଣା ମାଧ୍ୟମରେ ସମାଜର ଉନ୍ନତି ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଥିଲେ। ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ବିଶ୍ୱବିଦ୍ୟାଳୟର ବୋର୍ଡ଼ ସଦସ୍ୟ ଗୌରୀ ଶଙ୍କର ମାଝୀ ଯୋଗ ଦେଇ ଛାତ୍ରଛାତ୍ରୀ ନିଜ ସ୍ୱପ୍ନରେ ମହତ୍ତ୍ୱାକାଂକ୍ଷୀ , ଉଦ୍ୟମରେ ଦୃଢ଼ତା ଏବଂ ସଫଳତାରେ ବିନମ୍ରତା ସହ ଦେଶର ବିକାଶରେ କାର୍ଯ୍ୟ କରିବା ପାଇଁ କହିଥିଲେ।
ବିଶ୍ୱବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜଳ ପାଇ କାମନା କରିଥିଲେ।
ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର ଙ୍କ ସମେତ ବିଶ୍ୱବିଦ୍ୟାଳୟର ବୋର୍ଡ଼ ସଦସ୍ୟ ବୃନ୍ଦ , ନିମନ୍ତ୍ରିତ ଅତିଥି, ସମସ୍ତ ବିଭାଗର ଅଧ୍ୟକ୍ଷ, ଡିନ, ବିଭାଗର ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ରେଜିଷ୍ଟ୍ରାର ଡ଼ ଏନ.ଭି.ଜଗନ୍ନାଧା ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।