ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ ଉଦ୍‌ଯାପିତ

9

କେନ୍ଦୁଝର, ତା୧୫/୧୦- ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, କେନ୍ଦୁଝର ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ ଧରଣୀଧର ସ୍ପୋର୍ଟସ୍‌ କମ୍ପ୍ଲେକ୍ସ, ଶଙ୍କରପୁର ଷ୍ଟାଡିୟମ୍‌ଠାରେ ଉଦ୍‌ଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, କ୍ରୀଡ଼ା ମନୋଭାବ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ମହୋତ୍ସବର ପ୍ରଥମ ପର୍ଯ୍ୟାୟ ‘ଉତ୍ସାହ’ରେ ଶିଶୁମାନଙ୍କ ପାଇଁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାଳକ ଓ ବାଳିକା ବର୍ଗରେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼, ଲମ୍ବଡିଆଁ ଓ ଉଚ୍ଚଡିଆଁ ସହିତ କ୍ୟାରମ୍‌ ଓ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହା ସହିତ ଉଭୟ ବାଳକ ଓ ବାଳିକା ବର୍ଗରେ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକ ଶିଶୁମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା, ଦଳଗତ ମନୋଭାବ ଓ ପ୍ରତିଯୋଗିତାମୂଳକ ଉତ୍ସାହ ବୃଦ୍ଧି କରିଥିଲା।

ଦ୍ୱିତୀୟ ପର୍ଯ୍ୟାୟ ‘ମହକ’ରେ ଶିଶୁମାନଙ୍କ କଳା, ସାହିତ୍ୟ ଓ ସୃଜନଶୀଳ ପ୍ରତିଭାକୁ ପରିପ୍ରକାଶ କରିବା ପାଇଁ ଏକକ ସଙ୍ଗୀତ ଗାନ, ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତା ଜୁନିୟର ଓ ସିନିୟର ବର୍ଗରେ ଆୟୋଜନ କରାଯାଇଥିଲା। ଏହା ସହିତ ଗ୍ରୁପ୍‌ ଡ୍ୟାନ୍ସ ଓ ଟ୍ୟାଲେଣ୍ଟ ହଣ୍ଟ୍‌ ପ୍ରତିଯୋଗିତା ମହୋତ୍ସବର ପ୍ରମୁଖ ଆକର୍ଷଣ ପାଲଟିଥିଲା। ଶିଶୁମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଉତ୍ସବକୁ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧିକାରିଣୀ ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ଦାଶ ଯୋଗଦେଇଥିଲେ। ଶ୍ରୀମତୀ ତ୍ରିପାଠୀ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ଅଧିକ ସଫଳତା ହାସଲ କରିବା ପାଇଁ ଉତ୍ସାହିତ କରିଥିଲେ। ସେହିପରି ଶ୍ରୀ ଦାଶ ଶିଶୁମାନଙ୍କୁ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିବା, ଭବିଷ୍ୟତ ଗଠନ ପାଇଁ ନିଷ୍ଠାର ସହ ଉଦ୍ୟମ କରିବା ଏବଂ ନିଜ ପ୍ରତିଭାର ସଠିକ୍‌ ଉପଯୋଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଙ୍କା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ସମସ୍ତ ଆୟୋଜନ ଓ ପରିଚାଳନା ଦାୟିତ୍ୱ ଶ୍ରୀମତୀ ରଶ୍ମିରେଖା ସେନାପତି ତୁଲାଇଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଚାଇଲ୍ଡ ହେଲ୍ପଲାଇନ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ। ଶେଷରେ ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ ସେବା ଓ ସଦର ପୋଲିସର କର୍ମଚାରୀଙ୍କ ସମେତ ସମସ୍ତ ସ୍ୱେଚ୍ଛାସେବୀ ଓ ସହଯୋଗୀଙ୍କୁ ଶ୍ରୀମତୀ ରଶ୍ମିରେଖା ସେନାପତି ଧନ୍ୟବାଦ ଜଣାଇବା ସହ ମହୋତ୍ସବର ସଫଳ ସମାପନ ଘୋଷଣା କରିଥିଲେ।

Leave A Reply

Your email address will not be published.