ବୋରୀ ପିଏମ୍ ଶ୍ରୀ ବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

11

ସଚେତନତା ସହ ବୃକ୍ଷରୋପଣ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ


ବେଲଗୁଣ୍ଠା୧୬/୧୦,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବୋରୀ ପିଏମ୍ ଶ୍ରୀ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସବିତା ବେହେରାଙ୍କ ପୌରୋହିତ୍ୟରେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନସୀ ଦାସ, ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପରିବେଶର ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟର ସୁରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ଗ୍ରାମସ୍ତରରେ ପାଲା ପରିବେଷଣ, ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ କରାଯାଇଥିଲା। ପରିବେଶକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା।ଖୋଲାରେ ମଳତ୍ୟାଗ ନକରିବା, ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଗ୍ରାମ କଲ୍ୟାଣ ସମିତି ପାଣ୍ଠିର ସୁପରିଚାଳନା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.