କେନ୍ଦ୍ରାପଡ଼ା :୧୬/୧୦ ( ପ୍ରଫୁଲ୍ଲ କୁମାର ମଲ୍ଲ )ପାର୍ବଣ ଋତୁକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, ମାର୍ଶାଘାଇ, ଡେରାବିଶ ଓ ତାଳଚୁଆ ମେରାଇନ୍ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଅମରାବତୀ ଗ୍ରାମର ପ୍ରଦୀପ ପଣ୍ଡା (୩୪)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ, ଶୀଳାପୋଖରୀ ଗ୍ରାମର ଲକ୍ଷ୍ମୀ ମଣ୍ଡଳ (୩୬)ଙ୍କ ନିକଟରୁ ୩୪ ଲିଟର ବିଦେଶୀ ମଦ, ବାଲିଶୁଆଁ ଗ୍ରାମର ଗଗନ ସ୍ୱାଇଁ (୪୯)ଙ୍କ ନିକଟରୁ ୨୫ ଲିଟର ଦେଶୀ ମଦ, ଗୋବର୍ଦ୍ଧନପୁର ଗ୍ରାମର ସବିତା ରାଉତ (୩୬)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ସୁବଳ ଗ୍ରାମର ଦିଲୀପ କୁମାର ସ୍ୱାଇଁ (୪୪)ଙ୍କ ନିକଟରୁ ୨୯ ଲିଟର ବିଦେଶୀ ମଦ ଏବଂ ଡେରାଢିଅ ଗ୍ରାମର ସୁବାଶ ସାହୁ (୫୫)ଙ୍କ ନିକଟରୁ ୨୪ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ (୪୬)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ ଜବତ ହୋଇଥିଲା। ଏହି ଚଢ଼ାଉରେ ମୋଟ ୧୯୧ ଲିଟର ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିବାବେଳେ ଏ ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି ।