ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା ଗଜପତିରୁ ବେଧଡ଼କ ମାନବ ଚାଲାଣ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଲୁଚାଛପାରେ ଜାରି ରହିଥିଲା ତଥା ଅପରାଧୀ ସହଜରେ ଧରା ପଡୁନଥିଲେ। କିନ୍ତୁ ଜୁନ ମାସରେ ଏହିଭଳି ଏକ ସମ୍ବେଦନଶୀଳ ମାମଲାର ଖବର ପାଇ ଅଡ଼ବା ପୋଲିସ ଅତିରିକ୍ତ ଆଇ.ଆଇ.ସି. ନଳିନୀ କୁମାରୀ କଁଅରଙ୍କ ନେତୃତ୍ୱରେ କାଳ ବିଳମ୍ବ ନ କରି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଇ.ପି.ଏସ. ପ୍ରହଲ୍ଲାଦ ସହାୟ ମୀନା ତଥା ଆର. ଉଦୟଗିରି ଏସ୍ଡିପିଓ ଆଇ.ପି.ଏସ. ରାକେଶ କୁମାର ସାହୁଙ୍କ ପରାମର୍ଶରେ ହାଇଦ୍ରାବାଦ ଯାଇ ବିଭିନ୍ନ ସ୍ଥାନରେ ଛାପା ମାରିବା ପରେ ଅଭିଯୁକ୍ତ ଈଶ୍ୱର କୁଶୁଲିୟା ତଥା ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦ ନିବାସୀ ସରିତା ଜୈନଙ୍କୁ ଗିରଫ କରିବା ସହ ସେଠାରୁ ୬ଜଣ ନାବାଳିକା ସମେତ ୭ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଅଭିଯୁକ୍ତ ଦ୍ବୟଙ୍କୁ ପର୍ଯ୍ୟାୟ କ୍ରମେ ମୋହନା ଜେ.ଏମ.ଏଫ.ସି. ତଥା ଜିଲ୍ଲା ଓ ଦୌରା ଜଜଙ୍କ ସମ୍ମୁଖରେ ହଜାର କରାଯାଇଥିଲା ଓ ସେମାନଙ୍କର ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ କାରାଗାରକୁ ପଠାଯାଇଥିଲା।
ପରେ ଆଜି ଅଭିଯୁକ୍ତଙ୍କ ପକ୍ଷରୁ ଜିଲ୍ଲା ନ୍ୟାୟାଳୟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହର ପ୍ରସାଦ ପଟ୍ଟନାୟକଙ୍କ ନିକଟରେ ଚାର୍ଜ ଫ୍ରେମର ଶୁଣାଣି ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସରକାରଙ୍କ ପକ୍ଷରୁ ଉକ୍ତ ମାମଲାଟିରେ ପୀଡ଼ିତଙ୍କର ପକ୍ଷ ଉପସ୍ଥାପନ କରି ତଦନ୍ତକାରୀ ଅଧିକାରୀଙ୍କର ଦ୍ୱାରା ଲଗାଯାଇଥିବା ଆରୋପକୁ ଯଥାର୍ଥ ଦର୍ଶାଇ ଚାର୍ଜ ଫ୍ରେମ କରିବା ନିମନ୍ତେ ମାନ୍ୟବର ବିଚାରପତିଙ୍କୁ ପ୍ରାର୍ଥନା କରିଥିଲେ। ସେହିପରି ଦୁଇ ଅଭିଯୁକ୍ତଙ୍କ ତରଫରୁ ଡିସଚାର୍ଜ ପିଟିସନ ମାନ୍ୟବର ଅଦାଲତ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। କିନ୍ତୁ ଶୁଣାଣିର ସର୍ବଶେଷରେ ମାନ୍ୟବର ବିଚାରପତି , ପୂର୍ବରୁ ତଦନ୍ତ ସମୟରେ ନ୍ୟାୟିକ ଅଧିକାରୀଙ୍କ ନିକଟରେ ଦେଇଥିବା ସମସ୍ତ ପିଡିତାଙ୍କ ବୟାନକୁ ନଜରରେ ରଖି ତଥା ରାଜ୍ୟର ଶିଶୁମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଓ ବଳିଷ୍ଠ ପ୍ରମାଣ ଆଧାରକୁ ନଜରରେ ରଖି ଉକ୍ତ ଦୁଇ ଅଭିଯୁକ୍ତଙ୍କର ଡିସଚାର୍ଜ ପିଟିସନ ଖାରଜ କରିବା ସହ ଚାର୍ଜ ଫ୍ରେମ କରି ବିଚାରଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ. ପୃଥ୍ବୀରାଜ ଏଥିରେ ଶ୍ରୀ ମିଶ୍ରଙ୍କୁ ଯଥାର୍ଥ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post