ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ପୁରୁଣା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ଛାତ୍ର ସଂଘ ନିର୍ବାଚନର ଫଳାଫଳ ଗୁରୁବାର ସଂଧ୍ଯାରେ ଘୋଷଣା କରାଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଭିନ୍ନ ପଦବୀ ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଔପଚାରିକ ଭାବେ ପ୍ରକାଶ କରାଯାଇଛି ।
ଏହି ବିଜ୍ଞପ୍ତି ନମ୍ବର ୨୬୬୨/ଏସ୍କେସିଜି/୨୦୨୬ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ପରେ ଜାରି ହୋଇଥିବା ବିଜ୍ଞପ୍ତି ନମ୍ବର ୨୭୮୦/ଏସ୍କେସିଜି/୨୦୨୬ ମାଧ୍ୟମରେ ନିର୍ବାଚିତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରାଯାଇଛି । ତା ଅନୁଯାୟୀ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର କୃଷ୍ଣଚନ୍ଦ୍ର କର୍ଜୀ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ସ୍ନାତକ ଦ୍ୱିତୀୟ ବର୍ଷର ଛାତ୍ରୀ ଅମିଷା ରାଣୀ ସିଂହ ଉପସଭାପତି ଏବଂ ସ୍ନାତକ ତୃତୀୟ ବର୍ଷର ଛାତ୍ର ନବୀନ ବେହେରା ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ପଦବୀଗୁଡ଼ିକ ମଧ୍ୟରେ ଟୁନା ବିଡ଼ିକା ସହକାରୀ ସାଧାରଣ ସମ୍ପାଦକ , ଦୀପକ ରଞ୍ଜନ ମହାପାତ୍ର ନାଟ୍ୟ ସମ୍ପାଦକ ଏବଂ ରାଜେଶ କୁମାର ନାୟକ କ୍ରୀଡ଼ା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଜ୍ଞାନ ସମିତି ସମ୍ପାଦକ ଭାବେ ମନାଶ ରଞ୍ଜନ ଗନ୍ତାୟତ ଏବଂ ଏସ୍ଏସ୍ଜି ସମ୍ପାଦକ ଭାବେ ନିତେଶ କୁମାର ମଣ୍ଡଳ ନିର୍ବାଚିତ ହୋଇଛନ୍ତି । ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ଭାବେ ସ୍ନେହା ବେହେରା , ବାଳକ ସାଧାରଣ କକ୍ଷ ସମ୍ପାଦକ ଭାବେ ପ୍ରଭାକର କର୍ଜୀ ଏବଂ ବାଳିକା ସାଧାରଣ କକ୍ଷ ସମ୍ପାଦକ ଭାବେ ମିର୍ଜାରାଣୀ ନାୟକ ନିର୍ବାଚିତ ହୋଇଛନ୍ତି । ଏହିପରି ମୋଟ ୧୧ଟି ପଦବୀ ପାଇଁ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ମହାବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।
ନିର୍ବାଚିତ ପ୍ରାର୍ଥୀମାନେ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷାଗତ ପରିବେଶ , ସାଂସ୍କୃତିକ କାର୍ଯ୍ୟକ୍ରମ , କ୍ରୀଡ଼ା ପ୍ରତିଯୋଗିତା ଏବଂ ଛାତ୍ରକଲ୍ୟାଣ ସମ୍ପର୍କିତ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ମହାବିଦ୍ୟାଳୟ ଅଧ୍ୟକ୍ଷ ରାଧାକାନ୍ତ ଭୂୟାଁ , ନିର୍ବାଚନ ଅଧିକାରୀ ଅଧ୍ୟାପକ ରମାକାନ୍ତ ସାମଲ ଏବଂ ବିପ୍ଲବ ପ୍ରଧାନ ଙ୍କ ସମେତ ବହୁ କର୍ମଚାରୀ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିଥିଲେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଶାନ୍ତିଶୃଙ୍ଖଳାର ବଜାୟ ରଖିଥିଲେ ।