ଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ବିଶ୍ୱ ହାତଧୁଆ ଦିବସ ପାଳିତ

12

ସିଏସ୍‌ଆର୍ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନତା

ରାୟଗଡା ରୁ ବୈକୁଣ୍ଠ ଦୁରିଆ – ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର। ନିୟମିତ ଓ ସଠିକ୍ ପ୍ରଣାଳୀରେ ହାତ ଧୋଇବା ଦ୍ୱାରା ଅନେକ ସଂକ୍ରାମକ ରୋଗରୁ ରକ୍ଷା ମିଳିପାରିବ। ଏହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡ଼ା ପକ୍ଷରୁ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଛି।

ଏହି ଅବସରରେ କମ୍ପାନୀର ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ସ୍ୱାସ୍ଥ୍ୟ ବାହିନୀ (ମୋବାଇଲ୍ ହେଲ୍‌ଥ୍ ୟୁନିଟ୍‌) ପକ୍ଷରୁ ପୋଡ଼ାପାଢ଼ୀ ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୁନରୁତ୍ଥାନ ଭଲଣ୍ଟାରୀ ଅର୍ଗାନାଇଜେସନ୍‌ ଦ୍ୱାରା ଏହି କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ବକ୍ତୃତା, ରଚନା ଲିଖନ ଏବଂ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିସହ ସଠିକ୍ ଭାବେ ହାତ ଧୋଇବାର ଆବଶ୍ୟକତା, ଖାଦ୍ୟ ଗ୍ରହଣ ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ହାତ ଧୋଇବାର ଉପକାରିତା ସମ୍ପର୍କରେ ବୁଝାଇ ଦିଆଯାଇଥିଲା। ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ସଚେତନ ରହିଲେ ଅନେକ ରୋଗରୁ ଦୂରେଇ ରହିହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୁନରୁତ୍ଥାନ ଭଲଣ୍ଟାରୀ ଅର୍ଗାନାଇଜେସନ୍‌ର ପ୍ରୋଜେକ୍ଟ କୋଅର୍ଡିନେଟର ସଚ୍ଚିଦାନନ୍ଦ ସାହୁ, ମୋବାଇଲ୍ ହେଲ୍‌ଥ୍ ୟୁନିଟ୍‌ର ମେଡିକାଲ୍ ଅଫିସର ଡାକ୍ତର ଶଶାଙ୍କ ଶେଖର ନାୟକ, ଫାର୍ମାସିଷ୍ଟ ମାନସ ରଞ୍ଜନ ସାହୁ, ସ୍ୱାସ୍ଥ୍ୟକର୍ମୀ ଦାସ ମାଝୀ ଓ ଫାଲ୍ଗୁନୀ ସ୍ୱାଇଁ, ଡ୍ରାଇଭର ପୁରେନ୍ଦ୍ର ଝୋଡ଼ିଆ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲଭ ସାଉଁନ୍ତା ଏବଂ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।

ସାମାଜିକ ଦାୟିତ୍ୱବୋଧକୁ ଗୁରୁତ୍ୱ ଦେଇ ଆଦିତ୍ୟ ଆଲୁମିନା ରିଫାଇନାରୀ ପକ୍ଷରୁ ଏଭଳି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେଉଛି। ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପିଲାଦିନରୁ ସ୍ୱଚ୍ଛତା ଅଭ୍ୟାସ ଗଢ଼ି ତୋଳିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।

Leave A Reply

Your email address will not be published.