ଦୁଇବର୍ଷ ସଶ୍ରମ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ
ମାତ୍ର ଚାରି ମାସରେ ଆସିଲା ଚୂଡାନ୍ତ ରାୟ —————————– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୋଲାର ପ୍ୟାନେଲ ଲଗାଇବା ଆଳରେ ଠକେଇ କରିବା ମାମଲା ଭଳି ଏକ ସଙ୍ଗିନ ମାମଲାର ଶୁଣାଣି କରି ଆଜି (ଗୁୁୁରୁବାର) ଗଜପତି ଜିଲ୍ଲା ଆର. ଉଦୟଗିରିର ଜେ.ଏମ୍.ଏଫ.ସି. ଶୁଭଙ୍କର ମହାନ୍ତି ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪)(ଠକେଇ) ଅପରାଧରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ରଘୁନାଥ ନଗରର ସନ୍ଦୀପ ପଟ୍ଟନାୟକ (୪୧ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏ.ପି.ପି. ଦୁର୍ଯ୍ୟୋଧନ କରଡ଼ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, “ଏସ୍.ଓ.ଏ.-ସି.ଏସ.ଆର ଫଣ୍ଡ” ସବସିଡି ଯୋଜନା ଅଧୀନରେ ଚାଷୀଙ୍କ ପାଇଁ ସୋଲାର ପ୍ୟାନେଲ୍ ଲଗାଇବା ଆଳରେ , ଅଭିଯୁକ୍ତ ଜଣକ ନିଜ ପତ୍ନୀ ପୁଷ୍ପଲତା ପଟ୍ଟନାୟକଙ୍କ ନାମରେ ଥିବା ‘ଫୋନ୍-ପେ’ ଆକାଉଣ୍ଟ ମାଧ୍ୟମରେ ଅଭିଯୋଗକାରୀ ଶଙ୍କର ରାଇତା (ପିତା: ସ୍ୱର୍ଗତ ମଲିକା ରାଇତା, ଗ୍ରାମ: ସର୍ଗିସାହି, ଥାନା: ରାମଗିରି, ଜିଲ୍ଲା: ଗଜପତି)ଙ୍କଠାରୁ ବିଭିନ୍ନ କିସ୍ତିରେ ଅଗ୍ରୀମ ଭାବେ ୩୮,୦୦୦ ଟଙ୍କା ନେଇଥିଲେ। ସେ ସୋଲାର ପ୍ୟାନେଲ୍ ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଲଗାଇ ନଥିଲେ ଏବଂ ଅଭିଯୋଗକାରୀଙ୍କୁ ଟଙ୍କା ମଧ୍ୟ ଫେରସ୍ତ କରିନଥିଲେ। ଏ ନେଇ ଏତଲାକାରି ରାମଗିରି ଥାନାରେ ମାମଲା ନମ୍ବର ୪୧/୨୦୨୬ରେ ତା ୧୦-୦୬-୨୦୨୬ରେ ଏକ ମାମଲା ରୁଜୁ କରିଥିଲେ ଏବଂ ଏ.ଏସ.ଆଇ. ସନ୍ତୋଷ କୁମାର ବେହେରା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ ତଥା ମାମଲାର ଗମ୍ଭୀରତାକୁ ନଜରରେ ରଖି ରାମଗିରି ଓ.ଆଇ.ସି. ସବଇନ୍ସପେକ୍ଟର ଡ଼ି. ଗଜପତି ଦୋରା ଓ ଆର. ଉଦୟଗିରି ଆଇ.ଆଇ.ସି. କଳ୍ପଲତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ତଥା ବିଚାରଣା କରାଯାଇଥିଲା। ଶେଷରେ ୮ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ୮ଟି ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪)ରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରାଦଣ୍ଡର ସଜା ଶୁଣାଇବା ସହ ୪୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ବିଚାରପତି ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଏହି ଅଭିଯୁକ୍ତଙ୍କ ନାମରେ ରହିଥିବା ଅନ୍ୟ ଏକ ସଙ୍ଗିନ ମାମଲା ଆର. ଉଦୟଗିରି ଥାନାରେ ପଞ୍ଜିକୃତ ହୋଇ ଏବେ ବିଚାରାଧୀନ ରହିଛି। ସୂଚନାଯୋଗ୍ୟ, ଏହି ସମ୍ବେଦନଶୀଳ ମାମଲାଟି ସମସ୍ତଙ୍କ ସହଯୋଗରେ ମାତ୍ର ୪ମାସରେ ସମାପ୍ତ ହୋଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିଥିବାରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା , ତଦନ୍ତକାରୀ ଅଧିକାରୀ ତଥା ଅଭିଯୋଜନ ଅଧିକାରୀଙ୍କୁ ଧନ୍ୟବାଦ ଦେବା ସହ ଏହିଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଉପଦେଶ ଦେଇଛନ୍ତି।