କୁସୁମୀ ନଦୀରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର : ବାରହା ଜଗିବାକୁ ଯାଇଥିଲେ, ମୃତ୍ୟୁର କାରଣ ଅସ୍ପଷ୍ଟ

17


ଓଡ଼ଗାଁ,୧୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରାବରା ପଞ୍ଚାୟତ ମଧୁକେଶ୍ୱର ମନ୍ଦିର ନିକଟ ବଳଭଦ୍ରପୁର ରାବରା ଗ୍ରାମର ଦୁଇଜଣ ମିଶି ଧାନ ଫସଲକୁ ବାରହା ଦାଉରୁ ରକ୍ଷା କରିବା ପାଇଁ ରାତିରେ ଜମି ଜଗିବାକୁ ଯାଇଥିଲେ । ତେବେ ସକାଳେ ଏକକାଳୀନ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଦ୍ୱୟ ହେଲେ ତ୍ରିନାଥ ମହାପାତ୍ର (୩୫) ଓ ନରସିଂହ ମହାପାତ୍ର (୭୨)। ଉଭୟଙ୍କ ଘର ବଳଭଦ୍ରପୁର ରାବରା ଗ୍ରାମର ମଧୁକେଶ୍ୱର ମନ୍ଦିର ନିକଟରେ। ସୂଚନା ଅନୁଯାୟୀ, ଉଭୟ ଗତ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧାନ ଜମିରେ ବାରହା ଜଗିବାକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିବା ସହ ମୋବାଇଲ୍ ଫୋନ୍‌କୁ କଲ୍ କରିଥିଲେ। ମାତ୍ର ରାତିରେ ଫୋନ୍ ଲାଗିନଥିଲା । ହେଲେ ବହୁ ଖୋଜାଖୋଜି ପରେ ସକାଳେ ଉଭୟଙ୍କ ମୃତଦେହ ଠାବ ହୋଇଥିଲା। ତ୍ରିନାଥଙ୍କ ମୃତଦେହ ତାଙ୍କ ଧାନ ଜମିଠାରୁ ବହୁ ଦୁର ଏକ ସନ୍ତରା ବୁଦା ଠାରୁ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତଦେହକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଓଡ଼ଗାଁ ଡାକ୍ତରଖାନା ଅଣାଯାଇଥିଲା। ଅନ୍ୟପକ୍ଷରେ, ନରସିଂହଙ୍କୁ ଖୋଜିବା ପାଇଁ ଦମକଳ ବାହିନୀ ପକ୍ଷରୁ ତଲାସୀ ଚାଲିଥିବା ବେଳେ ଭାଡ଼ିକିଳା ବ୍ରିଜ୍ ନିକଟ କୁସୁମୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦମକଳ ବାହିନୀ କର୍ମଚାରୀ ତାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। କୁସୁମୀ ନଦୀରେ ଭାସିଯିବା ଭଳି ଅତି ଯୋର ପାଣିର ଶ୍ରୋତ ନଥିବା ଏବଂ ଉଭୟଙ୍କ ଶରୀରରେ କୌଣସି ଦୃଶ୍ୟମାନ କ୍ଷତଚିହ୍ନ ନଥିବାରୁ ମୃତ୍ୟୁର କାରଣକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇ ନଥିବା ବେଳେ ପରବର୍ତ୍ତୀ ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ । ଏନେଇ ଓଡ଼ଗାଁ ପୁଲିସ ଅଭିଯୋଗ ପାଇବା ପରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ପୁଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.