ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ତାରିଖ ୧୫.୧୦.୨୦୨୬ ରିଖରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାହ–୨୦୨୬ ଉତ୍ସବ ସଫଳତାର ସହ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିବା ବେଳେ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା, ଛତ୍ରପୁର ଡିଏସ୍ପି ଶ୍ରୀମତୀ ଜ୍ୟୋତ୍ସ୍ନା କହଁର, ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଅଲେଖ ପ୍ରଧାନ, ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ସଙ୍ଗୀତା ପାତ୍ର, ପିଓ ଶ୍ରୀମତୀ ଡି. ନାଗୋରତ୍ନମ୍, ଡିସିପିଓ ଶ୍ରୀମତୀ ରାଜଶ୍ରୀ ଦାସ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଏସ୍. ରାଜେଶ୍ୱରୀ ପ୍ରମୁଖ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ବ୍ଲକ୍ ସଂଯୋଜକ (ପୋଷଣ), ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ପୋଷଣ ସମ୍ବନ୍ଧୀୟ ପ୍ରଦର୍ଶନୀ ଷ୍ଟଲ୍। ଏହି ଷ୍ଟଲ୍ଗୁଡ଼ିକରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି, ସ୍ଥାନୀୟ ଖାଦ୍ୟ ସାମଗ୍ରୀର ଉପଯୋଗ, ସନ୍ତୁଳିତ ଆହାର, ମାତୃ ଓ ଶିଶୁ ପୋଷଣ ଏବଂ ସୁସ୍ଥ ଜୀବନଶୈଳୀ ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଅବସରରେ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସିଡିପିଓ, ବ୍ଲକ୍ ସଂଯୋଜକ (ପୋଷଣ), ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ଓ ଅବଦାନ ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ସଫଳ ଆୟୋଜନରେ ଜିଲ୍ଲା ପୋଷଣ ସଂଯୋଜକ ଶ୍ରୀ ଅମିତ କୁମାର ତ୍ରିପାଠୀ, ଜିଲ୍ଲା ୟୁନିସେଫ୍ ସଂଯୋଜକ ଶ୍ରୀ ଦେବବ୍ରତ ମହାନ୍ତ ଏବଂ ମମତା କାର୍ଯ୍ୟକ୍ରମ ସହାୟକ ଶ୍ରୀ ବିଶ୍ୱରଞ୍ଜନ ସାହୁ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଓ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟ ଓ ଅବଦାନ ପାଇଁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। । ସମସ୍ତ ଅଧିକାରୀ, କର୍ମଚାରୀ ଓ ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ଏହି ଉତ୍ସବ ମାଧ୍ୟମରେ ମହିଳା ଓ ଶିଶୁଙ୍କ ପୋଷଣ ସ୍ତରରେ ଉନ୍ନତି ଆଣିବା, କୁପୋଷଣ ଦୂରୀକରଣ ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ଦିଗରେ ସାମୂହିକ ପ୍ରୟାସକୁ ଆହୁରି ସୁଦୃଢ଼ କରିବାର ସଂକଳ୍ପ ନିଆଯାଇଥିଲା।
“ସୁପୋଷିତ ଓଡ଼ିଶା, ସୁପୋଷିତ ଭାରତ” ଗଠନର ଲକ୍ଷ୍ୟ ନେଇ ଏହି ଜିଲ୍ଲାସ୍ତରୀୟ ପୋଷଣ ମାହ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post