ଲଇକେରାରେ ‘ବ୍ଲକ୍ ସ୍ତରୀୟ ସେବା ସେତୁ କ୍ୟାମ୍ପ’

9

୨ ବର୍ଷର ସଫଳତା ସହ ଲୋକାଭିମୁଖୀ ଯୋଜନାର ଅଗ୍ରଗତି ସମୀକ୍ଷା

ଝାରସୁଗୁଡ଼ା, : ଲଇକେରା ପଞ୍ଚାୟତ ସମିତି ପକ୍ଷରୁ ‘ବ୍ଲକ୍ ସ୍ତରୀୟ ସେବା ସେତୁ କ୍ୟାମ୍ପ’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ। ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ସୁବିଧା ପହଞ୍ଚାଇବା ହିଁ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଗତ ଦୁଇ ବର୍ଷର ସଫଳତା ଉପସ୍ଥାପନ କରାଯାଇଥିଲା। ବିଶେଷ କରି ଅଞ୍ଚଳରେ ୪୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ୧୫୦ରୁ ଅଧିକ ଗ୍ରାମରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ନଳକୂପ ସ୍ଥାପନ ଏବଂ ଗ୍ରାମାଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ଗାଧୁଆଘାଟ ନିର୍ମାଣ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମରେ ଲଇକେରା ବିଡ଼ିଓ ଜର୍ଜ ଡୁଙ୍ଗ ଡୁଙ୍ଗ ଏବଂ ତହସିଲଦାର ଦିଲ୍ଲୀପ ମାଝୀ ଉପସ୍ଥିତ ରହିଥିଲେ। ଏଥିସହ ପାକେଲପଡ଼ା ପଞ୍ଚାୟତ ସରପଞ୍ଚ ସୁକେସିନି ପଟେଲ, ନାଏବ ସରପଞ୍ଚ ମୋଜିଲାଲ ଡନସେନା, ସାରଙ୍ଗଲୋଇ ସରପଞ୍ଚ ଲଳିତ ସେଠ୍, ସାହାସପୁର ସରପଞ୍ଚ ସୁକାନ୍ତି ଜୟପୂରିଆ, ବାବୁଛିଡ଼ିହି ସମିତି ସଭ୍ୟ ମନମୋହନ କଂଶରାଳି ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳମଣି କିଶାନ, ବିନୋଦ ବୁଦୁଲା, ପଙ୍କୋଜ ବେହେରା, ରୀନା ପଟେଲ୍ ଏବଂ ତପସ୍ୱିନୀ ରଣାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.