୩ କେଜି ଓଜନର ରୂପା ମୁକୁଟ ଓ କଟକୀ ସୁନେଲି ଜରି ମେଢ଼ ହେବ ମୁଖ୍ୟ ଆକର୍ଷଣ
ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ ତରକେରା ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି। ଏହି ଅବସରରେ ମା’ଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ଏ ନେଇ ତରକେରାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ମା’ଙ୍କ ମସ୍ତକରେ ୩ କେଜି ଓଜନର ରୂପା ମୁକୁଟ ଶୋଭା ପାଇବ। ଏଥିସହ କଟକ ପ୍ରସିଦ୍ଧ ସୁନେଲି ଜରି ମେଢ଼ରେ ମା’ଙ୍କ ମୃଣ୍ମୟୀ ପ୍ରତିମା ଶୋଭା ପାଇବ, ଯାହା ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ।
କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୭ ତାରିଖରେ ମା’ଙ୍କ ବିଲ୍ବବରଣ ଅନୁଷ୍ଠିତ ହେବ। ୧୮ ତାରିଖ ମହାସପ୍ତମୀରେ ମହିଳାମାନଙ୍କ ଦ୍ୱାରା ୧୦୮ କଳସ ଶୋଭାଯାତ୍ରା ତରକେରା ପୂଜାମଣ୍ଡପରୁ ବାହାରି ବ୍ରାହ୍ମଣୀ ନଦୀ ଘାଟରେ ପହଞ୍ଚିବ। ସେଠାରୁ ଜଳ ଆଣି ମଣ୍ଡପରେ ଘଟ ସ୍ଥାପନ କରାଯିବ।
ଅକ୍ଟୋବର ୧୯ ତାରିଖ ମହାଷ୍ଟମୀରେ ପୂଜା, ସନ୍ଧିପୂଜା ଓ ପଣା ବଣ୍ଟନ ସହ ସନ୍ଧ୍ୟାରେ ବରିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯିବ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ୨୦ ତାରିଖ ମହାନବମୀରେ ପୂଜା ସହ ପ୍ରସାଦ ସେବନ ଏବଂ ୨୧ ତାରିଖ ବିଜୟା ଦଶମୀରେ ଅପରାଜିତା ପୂଜା ସହ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହେବ।
ସେହିପରି ଅକ୍ଟୋବର ୨୨ ତାରିଖରେ ଦେବୀଙ୍କ ବିଶ୍ରାମ ପରେ ସନ୍ଧ୍ୟାରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୫ ତାରିଖରେ ମା’ଙ୍କ ବିସର୍ଜନ କରାଯିବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ପ୍ରସାଦ କୁମାର ମଲ୍ଲିକ (କାକୁନି), ଉପସଭାପତି ପ୍ରଦୀପ ଜେନା, କାର୍ଯ୍ୟକାରୀ ସଭାପତି ସୁନୀଲ ସେଠୀ, ନନ୍ଦଲାଲ ପୁରନ, ସୂର୍ଯ୍ୟ ବାରିକ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସହସମ୍ପାଦକ ସମରେନ୍ଦ୍ର ସ୍ୱାଇଁ (ସିଲୁ), କାର୍ଯ୍ୟକାରୀ ସମ୍ପାଦକ ଭ୍ୟାସ ମହାନ୍ତ ଓ ନଟବର ଭୂମିଜ, କୋଷାଧ୍ୟକ୍ଷ ସୁକାନ୍ତ ମହାନ୍ତ, ସହକୋଷାଧ୍ୟକ୍ଷ ବସନ୍ତ ପଣ୍ଡା ଓ ଜିତେନ୍ଦ୍ର ଜେନାଙ୍କ ସମେତ ଉପଦେଷ୍ଟା ହାଡ଼ିବନ୍ଧୁ ସ୍ୱାଇଁ, ବଳରାମ ଦାସ, ଅନନ୍ତ ଚନ୍ଦ୍ର ନାୟକ ଓ ନରୋତ୍ତମ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।