୨୬ ବ୍ଲକ୍ର ଶହ ଶହ ସାମ୍ବାଦିକ ନ୍ୟାୟ ପାଇଁ ବସିଲେ ଗଣଧାରଣାରେ।।
ମୟୁରଭଞ୍ଜ ରୁ ଦିପୁ ମହାପାତ୍ର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯଦି ନିଜ ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଏ, ତେବେ ବ୍ୟବସ୍ଥାର ଉତ୍ତରଦାୟିତ୍ୱକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ସାମ୍ବାଦିକଙ୍କ ସ୍ୱାଭିମାନ, ସୁରକ୍ଷା ଓ ନ୍ୟାର୍ଯ୍ୟ ଅଧିକାର ଦାବିରେ ଆଜି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଅନୁଷ୍ଠିତ ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ଆହ୍ୱାନରେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକ୍ରୁ ଶହ ଶହ ସାମ୍ବାଦିକ ଏକାଠି ହୋଇ ସାମ୍ବାଦିକଙ୍କ ପ୍ରତି ହେଉଥିବା ଅବହେଳା, ସୁରକ୍ଷାର ଅଭାବ ଓ ପ୍ରଶାସନିକ ଅଣଦେଖାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ସଂଗ୍ରହ କରି ଜନସାଧାରଣଙ୍କ ସମସ୍ୟାକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ ନିଜ ସମସ୍ୟା ପ୍ରତି ଯଦି ଅବହେଳା ହୁଏ, ତେବେ ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା କରିବ କିଏ? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମହାମଞ୍ଚରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ), ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ), କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଓ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ସମେତ ବିଭିନ୍ନ ସଂଗଠନର ସଦସ୍ୟମାନେ ସାମିଲ ହୋଇଥିଲେ। ସଂଗଠନଗତ ମତଭେଦକୁ ପଛରେ ପକାଇ ସାମ୍ବାଦିକଙ୍କ ସାମୂହିକ ସ୍ୱାର୍ଥ ପାଇଁ ଏକଜୁଟ ହେବା ଏହି ଆନ୍ଦୋଳନର ମୁଖ୍ୟ ବାର୍ତ୍ତା ଥିଲା। ଏହି ଧାରଣାରେ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ଓ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବକ୍ତାମାନେ ସାମ୍ବାଦିକଙ୍କ ମର୍ଯ୍ୟାଦା, କଲ୍ୟାଣ ଓ ସୁରକ୍ଷା ନେଇ ନିଜ ମତ ରଖିଥିଲେ। ଜିଲ୍ଲାରେ ସାମ୍ବାଦିକଙ୍କ ପ୍ରତି ଅଣଦେଖା ଓ ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ଆଗାମୀ ଦିନରେ ମିଳିତ ଭାବେ ଲଢ଼େଇ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଧାରଣାକୁ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସ୍ୱେଚ୍ଛାକୃତ ଭାବେ ସମର୍ଥନ ଜଣାଇଥିଲେ। ଧାରଣା ଶେଷରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି, ସରକାର ଯଦି ଶିଘ୍ର ସମାଧାନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି,ମତ ପ୍ରକାଶ କରିଛନ୍ତି।