ବିଜେଡି ପକ୍ଷରୁ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

13


ଦୀପାଳୀ ଓ ବିଶାଳଙ୍କ ସେବା ମନୋଭାବରୁ ପ୍ରେରଣା ମିଳିଥିବା କହିଲେ ଛାତ୍ର ନେତା


ଝାରସୁଗୁଡ଼ା, ୧୦: କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ଶନିବାର ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଛି। ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦିକା ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ କହିଥିଲେ ଯେ, ଛାତ୍ର ସଂସଦ ନିର୍ବାଚନରେ ଏହି ବିଜୟ ବିଜୁ ଜନତା ଦଳର ବିଜୟ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ହକ୍ ଓ ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରିବା ଦିଗରେ ଏହା ପ୍ରଥମ ପାହାଚ।

ସମ୍ବର୍ଦ୍ଧିତ ହୋଇଥିବା ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ଏଲ୍.ଏନ୍. କଲେଜର ସଭାପତି ଏମ୍.ଡି. ନାସିର ହୁସେନ, ଯୁଗ୍ମ ସମ୍ପାଦକ ଜ୍ୟୋତିର୍ମୟୀ ସାହୁ, କ୍ରୀଡ଼ା ସମ୍ପାଦକ ରିତୁରାଜ ପ୍ରଧାନ ଓ ନାଟକ ସମ୍ପାଦକ ମଧୁସ୍ମିତା କିସାନ ରହିଛନ୍ତି। ସେହିପରି ପି.କେ.ଏସ୍.ଏସ୍. କଲେଜ, ଏଚ୍. କଣ୍ଟାପାଲିର ଉପସଭାପତି ମନୀଷ ସାହୁ, ସାଧାରଣ ସମ୍ପାଦକ ଖୁସିଲ ରୋହିଦାସ ଓ ସାଂସ୍କୃତିକ ସମ୍ପାଦକ ଶୀତଲ ଭୋଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଯୁବ ବିଜେଡି ଜିଲ୍ଲା ସଭାପତି ରୁବିନ ପାଣ୍ଡେ ଓ ଛାତ୍ର ବିଜେଡି ଜିଲ୍ଲା ସଭାପତି ଶିବାଶିଷ ପଟ୍ଟନାୟକ ଉପସ୍ଥିତ ରହି ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଦୀପାଳୀ ଦାସ ଓ ବିଶାଳ ଦାସଙ୍କ ନେତୃତ୍ୱ ଏବଂ ଝାରସୁଗୁଡ଼ାବାସୀଙ୍କ ପ୍ରତି ସେମାନଙ୍କ ସେବା ମନୋଭାବ ଛାତ୍ରମାନଙ୍କୁ ପ୍ରେରଣା ଯୋଗାଇଥିବା ଛାତ୍ର ନେତାମାନେ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ କଲେଜଗୁଡ଼ିକର ଉନ୍ନତି, ଶିକ୍ଷାର୍ଥୀଙ୍କ ସମସ୍ୟାର ସମାଧାନ ଓ ଛାତ୍ରସମାଜର ଅଧିକାର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ନବନିର୍ବାଚିତ ପ୍ରତିନିଧିମାନେ କହିଥିଲେ।

Leave A Reply

Your email address will not be published.