ମାଉସୀମା ମନ୍ଦିର ନିକଟରେ ଦୁଇଟି ଲୁଟ୍‌ ଓ ଆକ୍ରମଣ ମାମଲା;ଦୁଇ ଅଭିଯୁକ୍ତ ଗିରଫ, ମୋବାଇଲ୍‌ ଓ ୫୦୦ ଟଙ୍କା ଜବତ

2

ବେଲଗୁଣ୍ଠା,୨୪/୧୧, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅଞ୍ଚଳରେ ଦୁଇଟି ପୃଥକ ଆକ୍ରମଣ ଓ ଲୁଟ୍‌ ଅଭିଯୋଗରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ୫୦୦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।ପୁଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୨ ତାରିଖରେ ମାଉସୀମା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କୁ ରାଜା ନାୟକ ଓ ତାଙ୍କର କେତେକ ସହଯୋଗୀ ବିନା କାରଣରେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ବେଲଗୁଣ୍ଠା ଥାନାରେ କେସ୍‌ ନଂ ୬୭୦/୨୨.୧୧.୨୦୨୬ ରୁଜୁ ହୋଇଥିଲା। ସେହିଦିନ ହିଁ ସୁତୁମସରା ଗ୍ରାମର ଅଶୋକ କୁମାର ସ୍ୱାଇଁ ତାଙ୍କ ୧୪ ବର୍ଷୀୟ ନାବାଳକ ପୁଅ ଓମ୍‌ ପ୍ରସାଦ ସ୍ୱାଇଁଙ୍କୁ ରୋହିତ ନାୟକ ଓ ତାଙ୍କ ସହଯୋଗୀ ଆକ୍ରମଣ କରିବା ସହ ଟ୍ୟୁସନ୍‌ ଫି’ ବାବଦରେ ପକେଟରେ ଥିବା ୧୦୦୦ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ କରିଥିଲେ। ଏ ନେଇ ଥାନାରେ କେସ୍‌ ନଂ ୬୭୧/୨୨.୧୧.୨୦୨୬ ରୁଜୁ ହୋଇଥିଲା। ଉଭୟ ମାମଲାର ତଦନ୍ତ କରି ପୁଲିସ ଖଦାଳ ସାହିର ରାଜା ନାୟକ ଓ ପପୁନ ନାୟକଙ୍କୁ ନଭେମ୍ବର ୨୩ ତାରିଖରେ ଗିରଫ କରିଥିଲା। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଦ୍ୱୟ ଅନ୍ୟ ସହଯୋଗୀଙ୍କ ସହ ମିଶି ଏହି ଘଟଣାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିବା ପୋଲିସ କହିଛି lସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ୫୦୦ ଟଙ୍କା ଜବତ କରାଯାଇଛି। ପରେ ଉଭୟଙ୍କୁ ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି l

Leave A Reply

Your email address will not be published.