ଧାର ଉଧାରରେ ଚାଲିଛି ମଧ୍ୟାହ୍ନ ଭୋଜନ, ଦିନେ ଦୁଇଦିନରେ ବାଧାପ୍ରାପ୍ତ ହେବା ଆଶଙ୍କା
ଓଡ଼ଗାଁ, ୨୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ବିଦ୍ୟାଳୟଗୁଡ଼ିକୁ ଚାଉଳ ଯୋଗାଣରେ ବିଳମ୍ବ ହେବାରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବ୍ଲକର କେତେକ ବିଦ୍ୟାଳୟରେ ଗଚ୍ଛିତ ଚାଉଳ ସରିଯାଇଥିବାରୁ ଅନ୍ୟ ବିଦ୍ୟାଳୟରୁ ଧାର ଉଦ୍ଧାର ଆଣି ମଧ୍ୟାହ୍ନ ଭୋଜନ ଚଳାଯାଉଛି। ତେବେ ଉଦ୍ଧାର ଦେଉଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଚାଉଳ ମହଜୁଦ ସରିବାକୁ ବସିଲାଣି। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଚାଉଳ ଯୋଗାଣ ନହେଲେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପାଠପଢ଼ା ସହିତ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର। ଅନେକ ଶିଶୁଙ୍କ ପାଇଁ ବିଦ୍ୟାଳୟରେ ମିଳୁଥିବା ମଧ୍ୟାହ୍ନ ଭୋଜନ ଦିନର ଏକ ପ୍ରମୁଖ ଆହାର। ତେଣୁ ଯେକୌଣସି ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ଯେପରି ବନ୍ଦ ନହୁଏ, ସେଥିପ୍ରତି ଶିକ୍ଷା ବିଭାଗର ଗୁରୁତ୍ୱ ଦେବା ଆବଶ୍ୟକ। ଏ ସମ୍ପର୍କରେ ଅତିରିକ୍ତ ଶିକ୍ଷା ଅଧିକାରୀ ସନ୍ତୋଷ କର କହିଛନ୍ତି ଯେ, ଦାୟିତ୍ୱରେ ଥିବା ଜଣେ ଏବିଇଓଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ମାତ୍ର ଅଳ୍ପ କିଛିଦିନ ହେଲା ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କୌଣସି ପରିସ୍ଥିତିରେ ବନ୍ଦ ହେବ ନାହିଁ। ଆଗାମୀ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଚାଉଳ ପହଞ୍ଚିବା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।