ଜନବସତି ମୁହାଁ କାହିଁକି ହାତୀପଲ?

9

ଜଙ୍ଗଲ ଧ୍ୱଂସର ପରିଣାମ ଭୋଗୁଛନ୍ତି ଉଭୟ ମଣିଷ ଓ ବନ୍ୟପ୍ରାଣୀ,


ଓଡ଼ଗାଁ, ୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ହାତୀ-ମଣିଷ ସଂଘର୍ଷ ଏବେ ରାଜ୍ୟର ଏକ ଗମ୍ଭୀର ପରିବେଶୀୟ ଓ ସାମାଜିକ ସମସ୍ୟା। ଜନବସତିକୁ ହାତୀ ପଶି ଆସିବା, ଫସଲ ନଷ୍ଟ କରିବା, ଘରଦ୍ୱାର ଭାଙ୍ଗିବା ଏବଂ ମଣିଷଙ୍କ ଜୀବନହାନି ଘଟିବା ଘଟଣା ନିୟମିତ ଘଟୁଛି। ଅନ୍ୟପଟେ ହାତୀ ଉପଦ୍ରବରେ ମଣିଷ ମଧ୍ୟ ନିଜ ଜୀବନ ଓ ଜୀବିକାକୁ ନେଇ ଆତଙ୍କିତ। ତେବେ ଏହି ସଂଘର୍ଷର ମୂଳ କାରଣ କ’ଣ? ହାତୀ ମଣିଷଙ୍କ ଜନବସତିକୁ ପଶି ଆସୁଛି ନା ମଣିଷ ଧୀରେ ଧୀରେ ହାତୀଙ୍କ ଜନବସତିକୁ ଦଖଲ କରୁଛି? ଦିନେ ଘଞ୍ଚ ଜଙ୍ଗଲ, ପାହାଡ଼, ଝରଣା ଓ ପ୍ରାକୃତିକ ଜଳାଶୟ ହିଁ ଥିଲା ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ନିରାପଦ ଆବାସ। ଜଙ୍ଗଲରୁ ମିଳୁଥିଲା ଖାଦ୍ୟ ଓ ପାଣି। ନିଜସ୍ୱ ଚଲାପଥରେ ନିର୍ଭୟରେ ବିଚରଣ କରୁଥିଲେ ବନ୍ୟପ୍ରାଣୀ। ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପରିସର ମଧ୍ୟରେ ଏକ ସ୍ପଷ୍ଟ ସୀମା ରହିଥିଲା। କିନ୍ତୁ ଜନସଂଖ୍ୟା ବୃଦ୍ଧି ଓ ବିକାଶର ଆବଶ୍ୟକତା ସହ ଏହି ଚିତ୍ର ବଦଳିଗଲା। ଘରବାଡ଼ି, ରାସ୍ତା, ଶିଳ୍ପ ଓ କୃଷିଜମି ପାଇଁ ଜଙ୍ଗଲ କଟାଗଲା। ପାହାଡ଼ କଟାଗଲା, ପ୍ରାକୃତିକ ଜଳାଶୟ ପୋତାଗଲା। ଫଳରେ କେବଳ ବୃକ୍ଷରାଜି ନୁହେଁ, ବନ୍ୟପ୍ରାଣୀଙ୍କ ଆବାସ ଓ ଚଲାପଥ ମଧ୍ୟ ସଙ୍କୁଚିତ ହୋଇଗଲା। ଜଙ୍ଗଲରେ ଖାଦ୍ୟ ଓ ପାଣିର ଅଭାବ ଦେଖାଦେଲେ ହାତୀମାନେ ନିଜର ପାରମ୍ପରିକ ଚଲାପଥ ଧରି ବାହାରି ଆସନ୍ତି। ଯେଉଁ ରାସ୍ତାରେ ଦିନେ ହାତୀପଲ ଚଳାଚଳ କରୁଥିଲେ, ସେଠାରେ ଆଜି ଘର, ରାସ୍ତା, ଚାଷଜମି ଓ ବିଭିନ୍ନ ନିର୍ମାଣ ଠିଆ ହୋଇଛି। ତେଣୁ ହାତୀ ଓ ମଣିଷ ମୁହାଁମୁହିଁ ହେବା ସ୍ୱାଭାବିକ ହୋଇପଡ଼ିଛି। ଏଭଳି ସ୍ଥିତିରେ ହାତୀକୁ ଏକତରଫା ଭାବେ ଦୋଷ ଦେବା କେତେ ଯୁକ୍ତିଯୁକ୍ତ, ତାହା ଚିନ୍ତା କରିବାର ସମୟ ଆସିଛି। ହାତୀ ମଣିଷର କ୍ଷତି କରିବା ପାଇଁ ଜନବସତିକୁ ଆସୁନାହିଁ। ଖାଦ୍ୟ, ପାଣି ଓ ନିରାପଦ ଆଶ୍ରୟ ଖୋଜି ସେମାନେ ନିଜର ପୁରୁଣା ଚଲାପଥକୁ ଫେରୁଛନ୍ତି। କିନ୍ତୁ ସେହି ପଥ ଏବେ ମଣିଷର ଦଖଲରେ। ଏହିଠାରୁ ହିଁ ସଂଘର୍ଷର ମୂଳ ସୃଷ୍ଟି ହେଉଛି। ହାତୀ-ମଣିଷ ସଂଘର୍ଷର ପରିଣାମ ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ। ହାତୀ ଆକ୍ରମଣରେ ମଣିଷଙ୍କ ଜୀବନହାନି ଘଟୁଛି, ଫସଲ ନଷ୍ଟ ହେଉଛି, ଘରଦ୍ୱାର ଭାଙ୍ଗୁଛି। ଅନ୍ୟପଟେ ପ୍ରତିଶୋଧ, ବିଦ୍ୟୁତ୍‌ ତାର, ଟ୍ରେନ୍‌ ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ହାତୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଅର୍ଥାତ୍‌ ଏହି ସଂଘର୍ଷରେ ଜିତୁଛି କେହି ନୁହେଁ; କ୍ଷତିଗ୍ରସ୍ତ ହେଉଛନ୍ତି ଉଭୟ ପକ୍ଷ।ଏହା କେବଳ ହାତୀ କିମ୍ବା ମଣିଷର ସମସ୍ୟା ନୁହେଁ; ଏହା ପ୍ରକୃତି ସହ ମଣିଷର ସମ୍ପର୍କର ପ୍ରଶ୍ନ। ଜଙ୍ଗଲ ନଷ୍ଟ ହେଲେ ବନ୍ୟପ୍ରାଣୀଙ୍କ ଆଶ୍ରୟ କମିବ ଏବଂ ମଣିଷ ସହ ସଂଘର୍ଷ ବଢ଼ିବ। ଶେଷରେ ଏହାର ପ୍ରଭାବ ପଡ଼ିବ ମଣିଷର ଜୀବନ ଓ ପରିବେଶ ଉପରେ।
ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜଙ୍ଗଲ ସୁରକ୍ଷା ସହ ହାତୀଙ୍କ ପାରମ୍ପରିକ ଚଲାପଥ ଓ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଆବଶ୍ୟକ। ଜଙ୍ଗଲରେ ଖାଦ୍ୟ ଓ ଜଳର ଉପଲବ୍ଧତା ବଢ଼ାଇବା, ଅବୈଧ ଜଙ୍ଗଲ କାଟ ରୋକିବା, ବନାଞ୍ଚଳରେ ଅନିୟନ୍ତ୍ରିତ ନିର୍ମାଣ ଉପରେ ଅଙ୍କୁଶ ଲଗାଇବା ସହ ହାତୀ ଚଲାପଥର ସୁରକ୍ଷା ଜରୁରୀ। ଏଥିସହ ଗ୍ରାମାଞ୍ଚଳରେ ସଚେତନତା ଓ ତ୍ୱରିତ ସୂଚନା ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବା ଦରକାର। ଉନ୍ନତି ଆବଶ୍ୟକ, କିନ୍ତୁ ପ୍ରକୃତିକୁ ଧ୍ୱଂସ କରି ହେଉଥିବା ଉନ୍ନତି ଶେଷରେ ମଣିଷ ପାଇଁ ହିଁ ବିପଦ ଡାକି ଆଣିବ। ତେଣୁ ଆଜି ସବୁଠାରୁ ବଡ଼ ପ୍ରଶ୍ନ—ହାତୀ ମଣିଷଙ୍କ ଜନବସତିକୁ ପଶି ଆସୁଛି, ନା ମଣିଷ ହାତୀଙ୍କ ବସତିକୁ ଦଖଲ କରୁଛି? ଏହାର ଉତ୍ତର ହେବ ହାତୀ-ମଣିଷ ସଂଘର୍ଷର ସ୍ଥାୟୀ ସମାଧାନ ।

Leave A Reply

Your email address will not be published.