ଆଦିବାସୀଙ୍କ ଅଧିକାର ଓ ବିକାଶ ପାଇଁ ଉଠିବ ୧୧ ଦଫା ଦାବି

6


ଡିସେମ୍ବର ୬ରେ ଝାରସୁଗୁଡ଼ାରେ ନୂଆଁଖାଇ ଭେଟଘାଟ-୨୦୨୬, ପ୍ରସ୍ତୁତି ବୈଠକରେ ଚୂଡ଼ାନ୍ତ ରୂପରେଖ


ଝାରସୁଗୁଡ଼ା ୨୨
: ଆଦିବାସୀ ସମାଜର ଅଧିକାର ସୁରକ୍ଷା, ଶିକ୍ଷା ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇ ଆସନ୍ତା ଡିସେମ୍ବର ୬ ତାରିଖରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ନୂଆଁଖାଇ ଭେଟଘାଟ-୨୦୨୬ ଅନୁଷ୍ଠିତ ହେବ। ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଆଦିବାସୀ ସମାଜ ପକ୍ଷରୁ ୧୧ ଦଫା ଦାବି ଉପସ୍ଥାପନ କରାଯିବ। ସମ୍ମିଳିତ ଆଦିବାସୀ ସମାଜ ଓ ଆଦିବାସୀ ଶକ୍ତିପୀଠ ସେବା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହେବ।

ଏହାର ପ୍ରସ୍ତୁତି ନିମନ୍ତେ ବାଗଡ଼ିହିସ୍ଥିତ ଆରଆରଆର କମ୍ପ୍ଲେକ୍ସରେ ଆୟୋଜିତ ବୈଠକରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ ସହ ୧୧ ଦଫା ଦାବି ଉପସ୍ଥାପନ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।

ଏହି ଦାବିଗୁଡ଼ିକ ମଧ୍ୟରେ ଓଡ଼ିଶାରେ ପେସା ଆଇନ-୧୯୯୬ ତୁରନ୍ତ ଲାଗୁ, ସମ୍ବଲପୁର ଜିଲ୍ଲାର ଯୁଯୁମୁରାକୁ ଆଇଟିଡିଏ ଘୋଷଣା, ଅଗଷ୍ଟ ୯କୁ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ସରକାରୀ ଛୁଟି ଘୋଷଣା ଏବଂ ଓଡ଼ିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ ରହିଛି। ଏଥିସହ ଲଇକେରା ଓ ଯୁଯୁମୁରାରେ ନିର୍ମାଣାଧୀନ ଏକଲବ୍ୟ ବିଦ୍ୟାଳୟରେ ତୁରନ୍ତ ପାଠପଢ଼ା ଆରମ୍ଭ, କୋଲାବିରା ବ୍ଲକରେ ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ ଏବଂ ଅର୍ଡା, ସୋଡ଼ାମାଲ ଓ ବଞ୍ଜାରୀ ଆଶ୍ରମ ବିଦ୍ୟାଳୟକୁ ଯୁକ୍ତ ଦୁଇ କଲେଜରେ ଉନ୍ନୀତ କରିବାକୁ ଦାବି ହୋଇଛି।

ସେହିପରି ଝାରସୁଗୁଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅନ୍ତତଃ ଗୋଟିଏ ଆଶ୍ରମ ବିଦ୍ୟାଳୟକୁ ହାଇସ୍କୁଲରେ ଉନ୍ନୀତ କରିବା, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା ଯୋଜନା ପୁନଃ ପ୍ରଚଳନ, ଜିଲ୍ଲା ସଦର ମହକୁମାରେ ଆଦିବାସୀ ଭବନ ନିର୍ମାଣ ଏବଂ ଜିଲ୍ଲାର ୧୧ଟି ଆଦିବାସୀ ସମାଜର ଧାର୍ମିକ ଓ ପାରମ୍ପରିକ କାର୍ଯ୍ୟ ପାଇଁ ପ୍ରତ୍ୟେକ ସମାଜକୁ ଏକ ଏକର ଲେଖାଏଁ ମୋଟ ୧୧ ଏକର ଜମି ଯୋଗାଇବାକୁ ଦାବି କରାଯିବ।

ଭେଟଘାଟରେ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, କର୍ମା ନାଚ, ଲଇଡ଼ାର ଆଖଡ଼ା ପାର୍ଟି ଓ କଟକର ଲୋକଶାସ୍ତ୍ର କଳା ପରିଷଦ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିବେ। ସକାଳ ୮ଟା ୩୦ରେ ଆଦିବାସୀ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ତିନୋଟି ପର୍ଯ୍ୟାୟରେ ସଭା ହେବ। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଝାରସୁଗୁଡ଼ାର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକ ଓ ଝାଡ଼ଖଣ୍ଡର ପୂର୍ବତନ ବିଧାୟକ ଗୁରୁଚରଣ ନାଏକ ଯୋଗଦେବେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୀବ କୁମାର ପଟେଲ ଓ ଟାଙ୍ଗରପାଲି ବିଡିଓ ବିରସେନ ବେହେରା ରହିଛନ୍ତି।

ଅତିଥି ଓ ଭକ୍ତଙ୍କ ପାଇଁ ପାରମ୍ପରିକ ମଣ୍ଡା, ଆରିସା, କ୍ଷୀରି ଓ ପୁରୀ ପ୍ରସାଦର ବ୍ୟବସ୍ଥା ରହିବ। ଆଦିବାସୀ କଳା, ସଂସ୍କୃତି, ପରମ୍ପରା, ପୂଜାପଦ୍ଧତି ଓ ଐତିହ୍ୟର ସଂରକ୍ଷଣ ପାଇଁ ଏକ ସମୃଦ୍ଧ ପୁସ୍ତକ ପ୍ରକାଶନ ନିମନ୍ତେ ବିଭିନ୍ନ ସମାଜର ମୁଖିଆଙ୍କଠାରୁ ଐତିହାସିକ ତଥ୍ୟ ଓ ଲିଖିତ ବିବରଣୀ ସଂଗ୍ରହ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି।

ସଂଗଠନକୁ ସୁଦୃଢ଼ ଓ ଶୃଙ୍ଖଳିତ କରିବା ନିମନ୍ତେ ବୈଠକରେ ସଦସ୍ୟମାନେ ଶପଥ ପାଠ କରିଥିଲେ। ସମ୍ମିଳିତ ଆଦିବାସୀ ସମାଜର ସଭାପତି ରତ୍ନାକର ପ୍ରଧାନ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ମହାସଚିବ ମହେନ୍ଦ୍ର ନାଏକଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

Leave A Reply

Your email address will not be published.