ବେଲଗୁଣ୍ଠା,୨୩/୧୧,-(ଶିବରାମ ଚୌଧୁରୀ )-ପବିତ୍ର କାର୍ତ୍ତିକ ମାସର ଦ୍ୱାଦଶୀ ତିଥି ଅବସରରେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ରବିବାର ସକାଳ ସାଢ଼େ ସାତଟା ସମୟରେ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ଏଥିରେ ଗାଙ୍ଗପୁର ଶିଶୁ ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ଚାଞ୍ଚରାପଲ୍ଲୀ, ପୁରୁଣା ବୋରୀ ଓ ନୁଣିପଡ଼ା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ସଙ୍କୀର୍ତ୍ତନ କରିଛନ୍ତି। ହରିନାମ, ମୃଦଙ୍ଗ ଓ ଝାଞ୍ଜର ଧ୍ୱନିରେ ମନ୍ଦିର ପରିସର ସମେତ ସମଗ୍ର ଗ୍ରାମ ଭକ୍ତିମୟ ହୋଇଉଠିଛି। ଏହି ଧାର୍ମିକ ଆୟୋଜନରେ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ନାମଯଜ୍ଞକୁ ନେଇ ଗାଙ୍ଗପୁର ଗ୍ରାମରେ ଏକ ଆଧ୍ୟାତ୍ମିକ ଓ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିବା ବେଳେ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଏହି ଅବସରରେ ମନ୍ଦିର ପରିସରରେ କାନିକା ପ୍ରସାଦ ଏବଂ ଗ୍ରାମରେ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୋମବାର ସକାଳ ସାଢ଼େ ସାତଟା ସମୟରେ ପୂର୍ଣ୍ଣାହୁତି ସହ ଅଖଣ୍ଡ ନାମଯଜ୍ଞର ସମାପନ ହେବ ବୋଲି ଜଣାପଡ଼ିଛି।