ଭକ୍ତିମୟ ପରିବେଶରେ ଗୌରାଙ୍ଗ ମଠର ବିଶ୍ୱଶାନ୍ତି ମହାଯଜ୍ଞ ସମ୍ପନ୍ନ

8


ପୂର୍ଣ୍ଣାହୁତିରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ, ମହାପ୍ରସାଦ ସେବନ କଲେ ଭକ୍ତ

ଝାରସୁଗୁଡ଼ା, ୨୨ : ଝାରସୁଗୁଡ଼ା ଜିଲ୍ଲା ଶ୍ରୀପୁରା ଗ୍ରାମସ୍ଥିତ ଗୌରାଙ୍ଗ ମଠ ପରିସରରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର କାର୍ତ୍ତିକ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ମହାଯଜ୍ଞର ଅନ୍ତିମ ଦିବସରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପୂରା ମଠ ପରିସର ହରିନାମ ସଂକୀର୍ତ୍ତନ ଓ ଭଜନରେ ମୁଖରିତ ହୋଇଉଠିଥିଲା।

ରବିବାର ପୂର୍ବାହ୍ନ ୧୦ଟାରେ ମହାଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। ଏହାପରେ ଆରତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ମଧ୍ୟାହ୍ନ ୧୨ଟା ୧୫ ମିନିଟ୍‌ରେ ସାଧୁସେବା ଏବଂ ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

ମହାଯଜ୍ଞର ପୂର୍ବ ଦିନଗୁଡ଼ିକରେ ଭଗବତ୍ ଗୀତା ହୋମ, ଶ୍ରୀବିଷ୍ଣୁ ସହସ୍ରନାମ ହୋମ, ଶ୍ରୀଲକ୍ଷ୍ମୀ ହୋମ ଓ ରୁଦ୍ର ହୋମ ଭଳି ବିଭିନ୍ନ ବୈଦିକ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଦିବସରେ ପ୍ରସିଦ୍ଧ କୀର୍ତ୍ତନ ଗାୟକ ବୁଲୁ ଶତପଥୀଙ୍କ କୀର୍ତ୍ତନ ବୈଠକୀ ଓ ଭଜନ ପରିବେଷଣ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା।

ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଓ ପଣ୍ଡିତ ସୁରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଏବଂ ମଠାଧୀଶ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସାନ୍ନିଧ୍ୟରେ ମହାଯଜ୍ଞ ସମ୍ପନ୍ନ ହୋଇଥିଲା। ନିବେଦକ ତଥା କର୍ତ୍ତା ବିଶ୍ୱନାଥ ତ୍ରିପାଠୀ ଓ କମଳିନୀ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଧାର୍ମିକ ଉତ୍ସବରେ ତ୍ରିନାଥ ତ୍ରିପାଠୀ, ଗଣନାଥ ତ୍ରିପାଠୀଙ୍କ ସମେତ ଶ୍ରୀପୁରା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମହାଯଜ୍ଞ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା।

Leave A Reply

Your email address will not be published.