ପ୍ରତିରୋଧ, ସଚେତନତା ଓ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱ

5

ରାଉରକେଲା ଆପୋଲୋ ହସ୍ପିଟାଲ୍ସରେ ବିଶ୍ୱ ହୃଦୟ ଦିବସ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ ): ପ୍ରତିରୋଧ, ସଚେତନତା ଓ ସମୟୋଚିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ୱ ହୃଦୟ ଦିବସ-୨୦୨୬ ପାଳିତ ହୋଇଯାଇଛି। ସେକ୍ଟର-୧୯ସ୍ଥିତ ଆପୋଲୋ ହସ୍ପିଟାଲ୍ସ ଅଡିଟୋରିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ, ହସ୍ପିଟାଲର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ହୃଦୟକୁ ସୁସ୍ଥ ରଖିବା ପାଇଁ ସଚେତନତା, ଦୈନନ୍ଦିନ ଜୀବନଶୈଳୀରେ ସୁସ୍ଥ ଅଭ୍ୟାସ ଏବଂ ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ଚିକିତ୍ସା ଗ୍ରହଣର ଗୁରୁତ୍ୱ ଉପରେ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ବରିଷ୍ଠ ରାଜଯୋଗ ଶିକ୍ଷୟିତ୍ରୀ ବି.କେ. ଶ୍ୱେତାଙ୍କ ଦ୍ୱାରା ଧ୍ୟାନ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପରେ ଚନ୍ଦ୍ରଚୂର ପାଣିଗ୍ରାହୀଙ୍କ ଦ୍ୱାରା ଯୋଗ ଅଧିବେଶନ ପରିଚାଳିତ ହୋଇଥିଲା। ଏଥିରେ ମାନସିକ ସୁସ୍ଥତା, ଚାପ ପରିଚାଳନା, ଶାରୀରିକ କାର୍ଯ୍ୟକଳାପ ଓ ସୁସ୍ଥ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଡାଏଟିସିଆନ୍ ସୁଭାନ୍ୱିତା ମାଇତିଙ୍କ ଦ୍ୱାରା ‘ସୁସ୍ଥ ହୃଦୟ ପାଇଁ ଖାଦ୍ୟ ଅଭ୍ୟାସ’ ଶୀର୍ଷକ ଏକ ସୂଚନାମୂଳକ ଅଧିବେଶନ ହୋଇଥିଲା। ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଓ ସଚେତନ ଖାଦ୍ୟ ଚୟନ ହୃଦୟର ସୁସ୍ଥତା ବଜାୟ ରଖିବାରେ କିପରି ସହାୟକ ହୁଏ, ସେ ସମ୍ପର୍କରେ ସେ ବିସ୍ତୃତ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ମୌଳିକ ଜୀବନ ସହାୟତା (BLS) ତାଲିମ। ଜରୁରୀକାଳୀନ ଚିକିତ୍ସା ପରିସ୍ଥିତିରେ ପ୍ରାରମ୍ଭିକ ପ୍ରତିକ୍ରିୟା, ହୃଦଘାତର ଚେତାବନୀ ସଙ୍କେତର ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ସହାୟତା ପାଇବାରେ ବିଳମ୍ବ ନକରିବା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ଏହାପରେ ‘ହୃଦଘାତର ଲକ୍ଷଣ ଓ ନିବାରଣ’ ଉପରେ ଏକ ସଚେତନତା ଅଧିବେଶନ ହୋଇଥିଲା। ହୃଦଘାତର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା ଗ୍ରହଣ କରିବାର ଆବଶ୍ୟକତା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।
ପରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର କାର୍ଡିଓଲୋଜି ବିଶେଷଜ୍ଞ ଡାକ୍ତର ଜି.ସି. ପତ୍ରୀ, କାର୍ଡିଓଥୋରାସିକ୍ ସିନିୟର ସର୍ଜନ୍ ଡାକ୍ତର ତୃପ୍ତି ତାଲପତ୍ର, କ୍ରିଟିକାଲ୍ କେୟାର ୟୁନିଟ୍‌ର ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ସରକାର ଓ ଡାକ୍ତର ଅନୁପମ ମହାପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏଥିରେ ହୃଦ୍‌ରୋଗର ବିପଦ କାରକ, ପ୍ରତିରୋଧ, ଚେତାବନୀ ସଙ୍କେତ, ସମୟୋଚିତ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦିଆଯାଇଥିଲା। ହୃଦ୍‌ରୋଗ ଚିକିତ୍ସାରେ ବହୁବିଧ ବିଶେଷଜ୍ଞଙ୍କ ସମନ୍ୱିତ ପଦକ୍ଷେପର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଏହି ଅବସରରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସିଓଓ ଡାକ୍ତର ଅଖିଲ ଜୈନଙ୍କ ଦ୍ୱାରା ଆଲୋଚନାରେ ଅଂଶଗ୍ରହଣ କରିଥିବା ଡାକ୍ତର ଜି.ସି. ପତ୍ରୀ, ଡାକ୍ତର ତୃପ୍ତି ତାଲପତ୍ର, ଡାକ୍ତର ଶୁଭେନ୍ଦୁ ସରକାର ଓ ଡାକ୍ତର ଅନୁପମ ମହାପାତ୍ରଙ୍କୁ ଉତ୍ତରୀୟ, ଚାରା ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସେହିପରି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଯୁବକଙ୍କୁ ସିପିଆର୍‌ ଦେଇ ପ୍ରାଥମିକ ଜୀବନରକ୍ଷା ପାଇଁ ଉଦ୍ୟମ କରିଥିବା ହୋମଗାର୍ଡ ଅଞ୍ଜନା ରାଣୀ ମାଝୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ତାଙ୍କର ଏହି ସାହସିକ ପଦକ୍ଷେପ ପାଇଁ ପୂର୍ବରୁ ରାଉରକେଲା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା।

Leave A Reply

Your email address will not be published.