ଭାଡ଼ିକିଳା ସ୍କୁଲ୍ ନବନିର୍ମିତ କୋଠାର ଛାତତଳ ପ୍ଲାଷ୍ଟର ଖସିଲା
ଓଡ଼ଗାଁ, ୨୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଭାଡ଼ିକିଳା ଗ୍ରାମପଞ୍ଚାୟତ ଅଧୀନ ଭାଡ଼ିକିଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବନିର୍ମିତ ଶ୍ରେଣୀକକ୍ଷ କୋଠାର ଛାତତଳ ପ୍ଲାଷ୍ଟର ଏକକାଳୀନ ଭାବେ ଖସିପଡ଼ିବା ଘଟଣା ନିର୍ମାଣର ମାନକୁ ନେଇ ପ୍ରଶ୍ନ ଉଠାଇଛି। ସୂଚନା ଅନୁଯାୟୀ, ନବନିର୍ମିତ କୋଠାର ଶ୍ରେଣୀକକ୍ଷରେ ତାଲା ପଡ଼ିଥିବାବେଳେ ବାରଣ୍ଡା ଛାତତଳୁ ପ୍ଲାଷ୍ଟର ଖସିପଡ଼ିଥିବା ଦେଖାଯାଇଛି। ଶ୍ରେଣୀକକ୍ଷ ଖୋଲିବା ପରେ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ସମସ୍ୟା ରହିଛି କି ନାହିଁ ଜଣାପଡ଼ିବ।
ନବନିର୍ମିତ କୋଠାରୁ ଅଳ୍ପ ସମୟ ମଧ୍ୟରେ ପ୍ଲାଷ୍ଟର ଖସିବାକୁ ନେଇ ନିର୍ମାଣରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏହି କୋଠାରେ ବିଦ୍ୟାଳୟ କାର୍ଯ୍ୟ ଚାଲିଥିବା ସମୟରେ ଯଦି ପ୍ଲାଷ୍ଟର ଖସିଥାନ୍ତା, ତେବେ ଅଘଟଣ ଘଟିବାର ଆଶଙ୍କା ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଅନ୍ୟପକ୍ଷରେ, ନିର୍ମାଣକାରୀ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ନିର୍ମାଣ ବାବଦ ସମସ୍ତ ଅର୍ଥ ନେଇସାରିଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ ୨୦୨୫-୨୬ ଆର୍ଥିକ ବର୍ଷର ୧୫ତମ କେନ୍ଦ୍ରୀୟ ଆର୍ଥିକ ଅନୁଦାନରୁ ଉକ୍ତ କୋଠାର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୭୨ ହଜାର ୩୭୪ ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଏହି କାର୍ଯ୍ୟ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କରାଯିବ ବୋଲି ସୂଚନା ମିଳିଛି। ତେବେ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଏହି କୋଠା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ନଥିବା ସେମାନେ କହିଛନ୍ତି। ଘଟଣାର ତଦନ୍ତ କରି ନିର୍ମାଣର ମାନ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।