ଦେଓଗାଁ ଗ୍ରାମ କମିଟି ପକ୍ଷରୁ ପୁଣି ଧାରଣା ଚେତାବନୀ
ଓଡ଼ଗାଁ,୨୯।୯(ଶ୍ରୀକାନ୍ତ କୁମାର ମିଶ୍ର):: ରଙ୍ଗଣୀପାଟଣାଠାରୁ ସୁନାମୁହିଁ ପର୍ଯ୍ୟନ୍ତ ପୂର୍ବ ବିଭାଗ ରାସ୍ତାକୁ ଦେଓଗାଁ-ଭାଲିଆଡିହି ଅଞ୍ଚଳ ସହ ସଂଯୋଗ କରିବା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଛି। ଏନେଇ ଦେଓଗାଁ ଗ୍ରାମ କମିଟି ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ ଓ ଦାବି ଉପସ୍ଥାପନ କରାଯାଇଛି।
କମିଟି ପକ୍ଷରୁ କୁହାଯାଇଛି ଯେ, ଉକ୍ତ ରାସ୍ତା ନିର୍ମାଣ ପାଇଁ ସରକାରୀ ଅନୁମୋଦନ ମିଳିବା ସହ ଟେଣ୍ଡର ଓ ଚୁକ୍ତି ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହାପରେ ଠିକାଦାର ଜେସିବି ମେସିନ ନେଇ ରାସ୍ତା କାମ ଆରମ୍ଭ କରିଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ କାମ ବନ୍ଦ ହୋଇଥିବା କମିଟି ଅଭିଯୋଗ କରିଛି।
ଅନ୍ୟପକ୍ଷରେ, ରାସ୍ତାର ନିର୍ଦ୍ଦିଷ୍ଟ ଆଲାଇନମେଣ୍ଟକୁ ନେଇ ଭାଲିଆଡିହି ଅଞ୍ଚଳର କିଛି ବାସିନ୍ଦାଙ୍କ ଆପତ୍ତି ଥିବା କମିଟି ଦାବି କରିଛି। ବିଦ୍ୟାଳୟ ପରିସର ଓ ଦେଓଗାଁ ଶ୍ମଶାନ ଅଞ୍ଚଳ ଦେଇ ରାସ୍ତା ନିର୍ମାଣ ସମ୍ପର୍କରେ ମଧ୍ୟ ବିବାଦ ରହିଥିବା କୁହାଯାଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟରେ ପୂର୍ବରୁ ମାମଲା ହୋଇଥିବା ଏବଂ ତାହାର ରାୟ ରହିଥିବା କମିଟି ପକ୍ଷରୁ ଦାବି କରାଯାଇଛି।
ରାସ୍ତା ନିର୍ମାଣ ସମୟରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା କିମ୍ବା ଆଇନଶୃଙ୍ଖଳା ସମସ୍ୟା ନଘଟିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦେଓଗାଁ ଗ୍ରାମ କମିଟି ଦାବି କରିଛି।
ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁଲିସ ସୁରକ୍ଷାରେ ରାସ୍ତା କାର୍ଯ୍ୟ ଆରମ୍ଭ କରାନଗଲେ ପୁଣି ଧାରଣା ଓ ଅନଶନ କରିବାକୁ ପଡ଼ିବ ବୋଲି ଦେଓଗାଁ ଗ୍ରାମ କମିଟି ପକ୍ଷରୁ ପ୍ରଶାସନକୁ ଜଣାଇ ଦିଆଯାଇଛି।
ଏ ସମ୍ପର୍କରେ ଭାଲିଆଡିହି ଗ୍ରାମବାସୀ କିମ୍ବା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।