ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ, ଅନ୍ଧାରରେ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିର ରୋଡ଼

46


ହଜାର ହଜାର ଶ୍ରଦ୍ଧାଳୁଙ୍କ ଯାତାୟାତରେ ସମସ୍ୟା, ତୁରନ୍ତ ମରାମତି ଦାବି


ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଧର୍ମକ୍ଷେତ୍ର ଓଡ଼ଗାଁର ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ରୋଡ଼ ଅଧିକାଂଶ ସମୟ ଅନ୍ଧାରରେ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଓଡ଼ଗାଁ ଏନ୍‌ଏସିର ଏହି ପ୍ରମୁଖ ରାସ୍ତାରେ ଲାଗିଥିବା ଅନେକ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘଦିନ ଧରି ଅଚଳ ହୋଇଥିବା ଅଭିଯୋଗ ହୋଇଛି।‘ବାରମାସରେ ତେର ପର୍ବ’ର ପରମ୍ପରା ବହନ କରୁଥିବା ଏହି ପ୍ରସିଦ୍ଧ ତୀର୍ଥକ୍ଷେତ୍ରକୁ ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳ ସମେତ ବାହାର ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ‘ଗୁପ୍ତ ଅଯୋଧ୍ୟା’ ଭାବେ ପରିଚିତ ଏହି ସ୍ବର୍ଣ୍ଣ କଳସ କ୍ଷେତ୍ରର ପ୍ରମୁଖ ମନ୍ଦିର ରୋଡ଼ରେ ସନ୍ଧ୍ୟା ପରେ ଆଲୋକ ବ୍ୟବସ୍ଥା ନଥିବାରୁ ଶ୍ରଦ୍ଧାଳୁ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀମାନେ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି।
ଏହି ରାସ୍ତାରେ ପ୍ରତ୍ୟେକ ସନ୍ଧ୍ୟାରେ ଅନେକ ଛାତ୍ରଛାତ୍ରୀ ଟିଉସନ୍‌କୁ ଯାତାୟାତ କରୁଥିବା ବେଳେ ବହୁ ବରିଷ୍ଠ ନାଗରିକ ମଧ୍ୟ ଚଳପ୍ରଚଳ କରିଥାନ୍ତି। ଅନ୍ଧାର ଯୋଗୁଁ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ରହୁଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ପ୍ରସିଦ୍ଧ ରଘୁନାଥ ଜୀଉଙ୍କ ମନ୍ଦିରକୁ ଯାଉଥିବା ପ୍ରମୁଖ ରାସ୍ତାର ଷ୍ଟ୍ରିଟ୍‌ ଲାଇଟ୍‌ ଏଭଳି ଅଚଳ ରହିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତୁରନ୍ତ ଅଚଳ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକର ମରାମତି କରି ମନ୍ଦିର ରୋଡ଼କୁ ଆଲୋକିତ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁମାନେ ଓଡ଼ଗାଁ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.