୯ ବର୍ଷ ବିତିଲା, ଜମାକାରୀଙ୍କୁ ମିଳିଲାନି ଜମା ଅର୍ଥ

32
  • କୁରାଳ ପ୍ୟାକ୍ସ ମିନି ବ୍ୟାଙ୍କରୁ ସାଢ଼େ ୬ କୋଟି ଆତ୍ମସାତ ଘଟଣା,
  • ସମିତିର ଅଚଳାବସ୍ଥା ଯୋଗୁଁ ବଢ଼ୁଛି କୃଷି ଋଣ ଖିଲାପି


ଓଡ଼ଗାଁ, ୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ କୁରାଳ ସମବାୟ ସମିତି (ପ୍ୟାକ୍ସ) ଅଧୀନ ମିନି ବ୍ୟାଙ୍କରୁ ଜମାକାରୀଙ୍କ ୬ କୋଟି ୪୩ ଲକ୍ଷ ଟଙ୍କା ଆତ୍ମସାତ ଘଟଣାକୁ ୯ ବର୍ଷ ବିତିଗଲାଣି। ହେଲେ ଏଯାଏଁ ଅଧିକାଂଶ ଜମାକାରୀ ସେମାନଙ୍କ ଜମା ଅର୍ଥ ଫେରି ପାଇନାହାନ୍ତି। ଦୀର୍ଘଦିନ ଧରି ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରିଥିବା ଜମାକାରୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ, ସମିତିର ପ୍ରଶାସନିକ ଅବ୍ୟବସ୍ଥାର ପ୍ରଭାବ ଏବେ କୃଷି ଋଣ ଆଦାୟ ଉପରେ ମଧ୍ୟ ପଡ଼ିଛି। ଗୋଟିଏ ଜମି ପ୍ଲଟ୍‌କୁ ଦର୍ଶାଇ ପରିବାରର ଏକାଧିକ ବ୍ୟକ୍ତି କିମ୍ବା ଅନ୍ୟ ବ୍ୟକ୍ତିଙ୍କ ନାମରେ ଋଣ ଉଠାଣ ହୋଇଥିବା ଅଭିଯୋଗ ରହିଛି। ଏପରି ଅବ୍ୟବସ୍ଥା ଯୋଗୁଁ ପ୍ରକୃତ ଋଣଗ୍ରହୀତା ଓ ଋଣ ପରିଶୋଧ ଦାୟିତ୍ୱ ନେଇ ଜଟିଳତା ସୃଷ୍ଟି ହୋଇଛି। ସମିତିର ଅଚଳାବସ୍ଥା ଯୋଗୁଁ ଠିକ୍ ସମୟରେ ଋଣ ଆଦାୟ ହୋଇପାରୁନଥିବାରୁ ଋଣ ଖିଲାପକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଗୋଟିଏ ଜମି ପଟ୍ଟାକୁ ଦର୍ଶାଇ ଏକାଧିକ ଋଣ ନିଆଯାଇଥିଲେ ତାହାର ଯାଞ୍ଚ ଓ ଦାୟିତ୍ୱ ନିର୍ଦ୍ଧାରଣରେ ସମିତିକୁ ସମସ୍ୟା ହେଉଥିବା ଜଣାପଡ଼ିଛି। ଫଳରେ ଋଣ ଅର୍ଥ ଆଦାୟ ପ୍ରକ୍ରିୟା ମଧ୍ୟ ଧିମା ହୋଇପଡ଼ିଛି।
ସେହିପରି ସାର ବଣ୍ଟନକୁ ନେଇ ମଧ୍ୟ ସମିତିରେ ଅସ୍ଥିରତା ଦେଖାଦେଉଛି। କେତେବେଳେ ସମିତିରେ ତାଲା ପଡ଼ୁଥିବା ବେଳେ ଆଉ କେତେବେଳେ ଆପୋଷ ସମୟରେ ଖୋଲୁଛି। ଏଭଳି ପରିସ୍ଥିତିରେ ସମିତିର ସାଧାରଣ କାର୍ଯ୍ୟକଳାପ ଓ ସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ମସିହାରେ ୨୩୭ ଜଣ ଜମାକାରୀଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ମୋଟ ୧୦ ଲକ୍ଷ ୯୪ ହଜାର ଟଙ୍କା ଫେରସ୍ତ କରାଯାଇଥିଲା। ଏହାପରେ ତଦନ୍ତ ଚାଲିଥିବା ଦର୍ଶାଇ ଅନ୍ୟ ଜମାକାରୀଙ୍କୁ ଜମା ଅର୍ଥ ଫେରସ୍ତ ପ୍ରକ୍ରିୟା ଆଗକୁ ବଢ଼ୁନଥିବା ଅଭିଯୋଗ ହେଉଛି। ଦୀର୍ଘ ୯ ବର୍ଷ ଧରି ନିଜ କଷ୍ଟାର୍ଜିତ ଜମା ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଜମାକାରୀଙ୍କ ମଧ୍ୟରେ ସମବାୟ ବିଭାଗର ସ୍ୱଚ୍ଛତା ଓ ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠିଛି। ଯଦି ବିଭାଗୀୟ କର୍ମଚାରୀଙ୍କ ଅବହେଳା କିମ୍ବା ଅନିୟମିତତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ, ତେବେ ତାହାର ପରିଣାମ ଜମାକାରୀମାନେ କାହିଁକି ଭୋଗିବେ ବୋଲି ପ୍ରଶ୍ନ ଉଠିଛି।
ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ସମବାୟ ବିଭାଗ ପକ୍ଷରୁ ସଦସ୍ୟତା ଅଭିଯାନ ଚାଲିଥିବାବେଳେ ୬୦ ହଜାର ନୂତନ ସଦସ୍ୟ ଗ୍ରହଣର ଲକ୍ଷ୍ୟ ରଖାଯାଇଛି। ଏଭଳି ସମୟରେ କୁରାଳ ସମବାୟ ସମିତିର ଦୀର୍ଘଦିନର ସମସ୍ୟାର ସମାଧାନ କରି ଜମାକାରୀଙ୍କ ଜମା ଅର୍ଥ ଫେରସ୍ତ କରିବା ସହ କୃଷି ଋଣ ଆଦାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଜମାକାରୀ ଓ ସଦସ୍ୟମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.