‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ରାୟଗଡଠାରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ 

21

ପିତାମାନଙ୍କ ରନ୍ଧନ ପ୍ରତିଯୋଗିତା ମାଧ୍ୟମରେ ପୋଷଣ ସଚେତନତା

ରାୟଗଡ଼, ୨୭/୦୯: ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଧେଶକ୍ରମେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ପାଳିତ ହେଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲାର ୧୧ଟି ବ୍ଲକ୍‌ର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ‘ରେସିପି’ କାର୍ଯ୍ୟକ୍ରମ ଅନ୍ତର୍ଗତ ପିତାମାନଙ୍କୁ ନେଇ ଏକ ରନ୍ଧନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ରାୟଗଡ଼ ଶ୍ରୀମତୀ ମିନତୀ ଦେଓ ଏବଂ ପରିଦର୍ଶିକା ଶ୍ରୀମତୀ ସୁବୁଦ୍ଧି ଶବର ଉପସ୍ଥିତ ରହି ପରିବାରରେ ପୋଷଣର ଗୁରୁତ୍ୱ, ଶିଶୁମାନଙ୍କ ସୁସ୍ଥ ବିକାଶ ଏବଂ କୁପୋଷଣ ଦୂରୀକରଣ ସମ୍ପର୍କରେ ପିତାମାତାଙ୍କୁ ସଚେତନ କରାଇଥିଲେ। ପୋଷଣମୁକ୍ତ ଓ ସଶକ୍ତ ଓଡ଼ିଶା ଗଠନରେ ପରିବାରର ସକ୍ରିୟ ଭୂମିକା ରହିଥିବା ସେମାନେ ପ୍ରକାଶ କରିଥିଲେ।

ରନ୍ଧନ ପ୍ରତିଯୋଗିତାରେ ପିତାମାନେ ବିଭିନ୍ନ ପ୍ରକାରର ପୁଷ୍ଟିକର ଓ ସନ୍ତୁଳିତ ଖାଦ୍ୟ ପ୍ରସ୍ତୁତ କରି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରସ୍ତୁତ ଖାଦ୍ୟର ପୁଷ୍ଟିମୂଲ୍ୟ, ବିବିଧତା, ସ୍ୱାଦ ଓ ପରିବେଷଣକୁ ବିଚାର କରି ମାତୃ କମିଟି, ୱାର୍ଡ ସଦସ୍ୟ ଏବଂ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ।

ଏହି ଅବସରରେ ‘ତ୍ରିରଙ୍ଗା ଥାଳି’ ଭଳି ବିଭିନ୍ନ ରଙ୍ଗର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ସହ ପରିବାରର ସମସ୍ତ ସଦସ୍ୟଙ୍କୁ ପ୍ରତିଦିନ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପିତାମାତାଙ୍କୁ ପରାମର୍ଶ ଦିଆଯାଇଥିଲା। ନିୟମିତ ପୁଷ୍ଟିକର ଖାଦ୍ୟ ଗ୍ରହଣ ଦ୍ୱାରା ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସହିତ କୁପୋଷଣ ଦୂରୀକରଣ ସମ୍ଭବ ବୋଲି ସଚେତନ କରାଯାଇଥିଲା।

‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ରକୁ କେନ୍ଦ୍ର କରି ପୋଷଣ, ସ୍ୱାସ୍ଥ୍ୟ, ଶିଶୁ ବିକାଶ ଓ ପରିବାରର ସହଭାଗିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯାଉଛି।

Leave A Reply

Your email address will not be published.