ଆଙ୍ଗନୱାଡ଼ି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’

10


ପୌଷ୍ଟିକ ଖାଦ୍ୟ ପ୍ରଦର୍ଶନୀରେ ବାପା-ମା’ଙ୍କ ଉତ୍ସାହଜନକ ଯୋଗଦାନ

ବେଲଗୁଣ୍ଠା, ୨୭/୦୯:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ୧୯୨ଟି ଆଙ୍ଗନୱାଡ଼ି କେନ୍ଦ୍ରରେ ରବିବାର ‘ଆଙ୍ଗନ କା ଉତ୍ସବ’ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁଙ୍କ ପୁଷ୍ଟି ଓ ସୁସ୍ଥତା ସମ୍ପର୍କରେ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଘରେ ପ୍ରସ୍ତୁତ ପୌଷ୍ଟିକ ଖାଦ୍ୟର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଉତ୍ସବରେ ବାପା-ମା’ ଓ ଜେଜେବାପା-ଜେଜେମା’ମାନେ ଉତ୍ସାହର ସହ ଯୋଗଦେଇ ଘରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପୌଷ୍ଟିକ ଖାଦ୍ୟ ଆଣି ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଭାବେ ମିଳୁଥିବା ଶସ୍ୟ, ଡାଲି, ପନିପରିବା ଓ ଅନ୍ୟାନ୍ୟ ପୁଷ୍ଟିକର ଉପାଦାନରେ ପ୍ରସ୍ତୁତ ଖାଦ୍ୟ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା।ଏହି ପ୍ରଦର୍ଶନୀରୁ ଶ୍ରେଷ୍ଠ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିଥିବା ବାପାମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯ ତାରିଖରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସିଡିପିଓ ନଳିନୀ ମହାରଣାଙ୍କ ତତ୍ତ୍ଵାବଧାନରେ ପୋଷଣ ବିସି, ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ସମେତ ବହୁ ସଂଖ୍ୟାରେ ଅଭିଭାବକ ଓ ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ଯୋଗଦେଇଥିଲେ। ଶିଶୁଙ୍କ ସୁସ୍ଥ ବିକାଶ ପାଇଁ ପରିବାର, ଆଙ୍ଗନବାଡ଼ି କେନ୍ଦ୍ର ଓ ସମାଜର ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଏହି ଉତ୍ସବ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।

Leave A Reply

Your email address will not be published.