ବେଲଗୁଣ୍ଠାରେ ସପ୍ତମ ‘ମୂଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମ:୨୪ଟି ବିଦ୍ୟାଳୟର ୨୫ ଜଣ ଛାତ୍ରଛାତ୍ରୀ ପାଇଲେ ମେଧାବୃତ୍ତି।

10

ବେଲଗୁଣ୍ଠା ୨୭/୯-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରସ୍ଥିତ ନୋଡାଲ ଜି.ଟି. ହାଇସ୍କୁଲ ପରିସରରେ ସପ୍ତମ ‘ମୂଳିଆ ସ୍ମାରକୀ ଛାତ୍ରବୃତ୍ତି’ ବିତରଣ ଉତ୍ସବ ଅତ୍ୟନ୍ତ ଆଡ଼ମ୍ବରକାରୀ ଓ ଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠା ବ୍ଲକର ୨୪ଟି ବିଦ୍ୟାଳୟରୁ ମନୋନୀତ ୨୫ ଜଣ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କୁ ମୂଳିଆ ସ୍ମାରକୀ ବୃତ୍ତି ଅର୍ଥରାଶି ପ୍ରଦାନ କରାଯାଇଛି।
ମାତୃଭୂମି ପ୍ରତି ପ୍ରବାସୀ ଓଡ଼ିଆଙ୍କ ଆନ୍ତରିକତାମାତୃଭୂମିର ମାଟି ଓ ମାଆ ପ୍ରତି ଗଭୀର ଶ୍ରଦ୍ଧା ରଖି ବିଦେଶ ମାଟିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରବାସୀ ଭାରତୀୟ ତଥା ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍‌ରେ ରହୁଥିବା ଡକ୍ଟର ଦାମୋଦର ସାହୁ ନିଜ ପରଲୋକଗତ ପିତା ‘ମୂଳିଆ ସାହୁ’ଙ୍କ ସ୍ମୃତିରେ ଏହି ମହାନ୍ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଡକ୍ଟର ସାହୁ ନିଜ ବାଲ୍ୟଜୀବନରେ ଗହନ ଅଭାବ, ଅନାଟନ ଓ ଗରିବୀ ମଧ୍ୟରେ ବଢ଼ିଥିଲେ। ତାଙ୍କ ପିତା ଜଣେ କ୍ଷୁଦ୍ର ସ୍କ୍ରାପ୍ ବ୍ୟବସାୟୀ ଭାବେ ଅତ୍ୟନ୍ତ କଷ୍ଟରେ ପୁଅର ପାଠପଢ଼ା ପାଇଁ ସମ୍ବଳ ଯୋଗାଉଥିଲେ। ପରବର୍ତ୍ତୀ ସମୟରେ ବେଲଗୁଣ୍ଠାର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ, ନିଜର ଦୃଢ଼ ଅଧ୍ୟବସାୟ ଓ କଠିନ ପରିଶ୍ରମ ବଳରେ ଡକ୍ଟର ସାହୁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀର ଉଚ୍ଚ ପଦବୀ ମଣ୍ଡନ କରିବା ସହ ଆଜି ‘ଡାଟା ସେଫ୍‌ଗାର୍ଡ’ ଭଳି ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ କମ୍ପାନୀର ପ୍ରତିଷ୍ଠାତା ହୋଇ ନିଜ ଜନ୍ମମାଟିକୁ ଗୌରବାନ୍ୱିତ କରିଛନ୍ତି।ଆର୍ଥିକ ଅଭାବ ଯେପରି କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପଥରେ ପ୍ରତିବନ୍ଧକ ସାଜିବ ନାହିଁ—ଏହି ସଂକଳ୍ପ ନେଇ ସେ ସାତ ବର୍ଷ ତଳେ ଏହି ବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମେ କେବଳ ବେଲଗୁଣ୍ଠା ସହରର ସରକାରୀ ହାଇସ୍କୁଲରୁ ଆରମ୍ଭ ହୋଇଥିବା ଏହି ବୃତ୍ତି ସାମ୍ପ୍ରତିକ ସମୟରେ ସଂପୂର୍ଣ୍ଣ ବ୍ଲକ୍‌ସ୍ତରୀୟ ବୃତ୍ତି କାର୍ଯ୍ୟକ୍ରମର ରୂପ ନେଇସାରିଛି।ବୃତ୍ତି ବିତରଣର ସପ୍ତମ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସଭାରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣାଦାୟୀ ଦିଗଦର୍ଶନ ଦେଇ କହିଥିଲେ ଯେ, “ଛାତ୍ରଜୀବନରେ ଆର୍ଥିକ ସମସ୍ୟାକୁ କଦାପି ପ୍ରତିବନ୍ଧକ ନ ଭାବି ନିର୍ଭୟରେ ଆଗକୁ ବଢ଼ିବା ଉଚିତ। କୌଣସି ମାନସିକ ଚାପ ନ ନେଇ ନିଜ ଇଚ୍ଛା, ଆଗ୍ରହ ଓ ଦକ୍ଷତା ଅନୁସାରେ ବିଷୟ ଚୟନ କରି ଶିକ୍ଷା ଗ୍ରହଣ କରନ୍ତୁ।” ଅନ୍ୟତମ ଅତିଥିମାନେ ପ୍ରକାଶ କରିଥିଲେ ଯେ, ଆଜି ଛାତ୍ରଛାତ୍ରୀମାନେ ଡକ୍ଟର ସାହୁଙ୍କଠାରୁ ଯେଉଁ ସହଯୋଗର ହାତ ପାଉଛନ୍ତି, ଭବିଷ୍ୟତରେ ନିଜେ ସଫଳ ହୋଇ ଅନ୍ୟ ଆବଶ୍ୟକତା ମଧ୍ୟରେ ଥିବା ପିଲାମାନଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ଏହି ବୃତ୍ତିର ପ୍ରକୃତ ସାର୍ଥକତା ହେବ।ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟନାରାୟଣ ତ୍ରିପାଠୀ, ପ୍ରେସ୍ କ୍ଲବ୍ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ନୋଡାଲ ଜି.ଟି. ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଦୀପା ସ୍ୱାଇଁ, କୋର୍ କମିଟି ଉପଦେଷ୍ଟା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ପାଢ଼ୀ, ପ୍ରେସ୍ କ୍ଲବ୍ ଉପସଭାପତି ପ୍ରଭାତ କୁମାର ସାହୁ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଓମ୍‌ପ୍ରକାଶ ସାହୁ ଏବଂ କୋର୍ କମିଟି ସଦସ୍ୟ ତଥା ପ୍ରେସ୍ କ୍ଲବ୍ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଡଃ ଦାମୋଦର ସାହୁ ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ପରିଚାଳନାରେ ବେଲଗୁଣ୍ଠା ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ଏ. ମନୋଜ କୁମାର ପାତ୍ର, ସୁଶାନ୍ତ କୁମାର ବେହେରା, ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ତୋଫାନ କୁମାର ସାହୁ, ନବକିଶୋର ମହାରଣା ଓ ବରିଷ୍ଠ ସମାଜସେବୀ ରାଜୀବ ଲୋଚନ ସାହୁ,ଯୁବ ସ୍ବେଛାସେବୀ ତଥା ଶିକ୍ଷାବିତ୍ କାଶୀନାଥ ସାହୁ
ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏଥିସହିତ ନୋଡାଲ ଜିଟି ହାଇସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

Leave A Reply

Your email address will not be published.