ବରଗଡ଼, ୨୬।୯ : ବରଗଡ଼ ଜିଲ୍ଲା ବିଜେପିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦଳର ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଯୋଗଦେଇ ବକ୍ତାମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ସେବା, ସଂଗଠନ ଓ ସୁଶାସନକୁ ଆଧାର କରି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଥିଲେ। ବୁଥସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ସହ ‘ଡବଲ ଇଞ୍ଜିନ’ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଲୋକାଭିମୁଖୀ ପଦକ୍ଷେପ ସମ୍ପର୍କରେ ଘରେ ଘରେ ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଥିଲା।ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତିଙ୍କ ସମେତ ବରଗଡ଼ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ପଦାଧିକାରୀ, ବିଭିନ୍ନ ମଣ୍ଡଳର ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକ, ମୋର୍ଚ୍ଚା ଅଧ୍ୟକ୍ଷ, ଜିଲ୍ଲା ପ୍ରଭାରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ବୈଠକରେ ଆଗାମୀ ଦିନରେ ସଂଗଠନକୁ ଅଧିକ ସକ୍ରିୟ କରିବା, ବୁଥସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକାକୁ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ସହ ନିରନ୍ତର ଯୋଗାଯୋଗ ରଖିବା ନେଇ ଆଲୋଚନା ହୋଇଥିଲା।