କଳିଙ୍ଗା ଘାଟି ପହଞ୍ଚିଲେ ପରିବହନ ମନ୍ତ୍ରୀ, ଗଞ୍ଜାମ ଜିଲ୍ଲାପାଳ ଓ ଦୁଇ ବିଧାୟକ

11

ଭୂସ୍ଖଳନ ସ୍ଥାନ ପରଖିଲେ, ଭାଲିଆପଟା ବାଇପାସ୍ ରାସ୍ତା ବୁଲି ଦେଖିଲେ ମନ୍ତ୍ରୀ

ଘୁ. ଉଦୟଗିରି, ୨୬/୦୯:(ଅବନୀ କୁମାର ପ୍ରଧାନ)କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୧୫୭ର କଳିଙ୍ଗା ଘାଟିରେ ଲଗାତାର ଭୂସ୍ଖଳନ ଓ ରାସ୍ତା ଧସିବା ଘଟଣା ପରେ ଶନିବାର ପରିବହନ ମନ୍ତ୍ରୀ ବିଭୂତି ଜେନା ଘାଟି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ମନ୍ତ୍ରୀଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଆରଡିସି ମାନଗୋବିନ୍ଦ ପ୍ରଧାନ ଓ ଦୁଇ ବିଧାୟକ ଉପସ୍ଥିତ ଥିଲେ।କଳିଙ୍ଗା ଘାଟିରେ ଗତ କିଛି ଦିନ ଧରି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବା ସହ ରାସ୍ତା ଓ ସୁରକ୍ଷା ପ୍ରାଚୀର କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ଅନ୍ଧାରକୋଟ ନିକଟରେ ନବନିର୍ମିତ ଗାର୍ଡ ୱାଲ୍ ଧସିଯିବା ପରେ ଘାଟି ରାସ୍ତାରେ ଯାତାୟାତ ନେଇ ସୁରକ୍ଷା ପ୍ରଶ୍ନ ଉଠିଛି।ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତ ଉପରେ ରୋକ୍ ଲଗାଯାଇଥିଲା। ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ଆଗୁଆ ପଦକ୍ଷେପ ନେଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।ଏହାପରେ ସେପ୍ଟେମ୍ବର ୨୪ ତାରିଖ ମଧ୍ୟାହ୍ନ ସମୟରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ନବନିର୍ମିତ ଗାର୍ଡ ୱାଲ୍ ଧସିଯାଇଥିଲା। ଘଟଣା ପରେ ପ୍ରଶାସନ ପକ୍ଷରୁ ରାସ୍ତାକୁ ବନ୍ଦ କରାଯାଇଥିଲା। କନ୍ଧମାଳ ଜିଲ୍ଲାପାଳ ଭେଦ ଭୂଷଣ ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ଓ ଥାନା ଅଧିକାରୀଙ୍କ ସହ ମିଳିତ ଭାବେ ସ୍ଥିତି ଯାଞ୍ଚ କରିଥିଲେ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାକୁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ ରଖାଯାଇଥିଲା।ଏହି ଘଟଣା ପରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ସେପ୍ଟେମ୍ବର ୨୫ ତାରିଖରେ ବିଧାନସଭା ଅଧିବେଶନ ଛାଡ଼ି କଳିଙ୍ଗା ଘାଟିରେ ପହଞ୍ଚିଥିଲେ। ସେ ଧସିଯାଇଥିବା ସ୍ଥାନ ପରିଦର୍ଶନ କରି ଘୁ. ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ସହ ଘାଟିର ସ୍ଥିତି ନେଇ ଆଲୋଚନା କରିଥିଲେ |

Leave A Reply

Your email address will not be published.