ବାହାଡ଼ାଝୋଲା ଫାଣ୍ଡି ପୋଡ଼ି ଘଟଣା, ୧୯ ବର୍ଷ ପରେ ଅନ୍ୟତମ ଅଭିଯୁକ୍ତ ଗିରଫ

8


ଓଡ଼ଗାଁ, ୨୬।୯(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘ ୧୯ ବର୍ଷ ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନ ବାହାଡ଼ାଝୋଲା ଫାଣ୍ଡି ପୋଡ଼ି ଘଟଣାର ଅନ୍ୟତମ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫାଣ୍ଡି ନିକଟ ହାଟସାହି ଗ୍ରାମର ମଦନ ନାୟକ। ଓଡ଼ଗାଁ ପୋଲିସ ତାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ସୂଚନାନୁସାରେ, ୨୦୦୭ ମସିହାରେ ଧାନବସ୍ତା ବୋଝେଇ ଏକ ଟ୍ରକ ବାହାଡ଼ାଝୋଲାର ତତ୍କାଳୀନ ଗହଳି ଆମ୍ବ ନିକଟସ୍ଥ ଅଞ୍ଚଳ, ବର୍ତ୍ତମାନର ଠିପିଖୋଲା ବିଦେଶୀ ମଦ ଦୋକାନ ସମ୍ମୁଖରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ନାବାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ମୃତଦେହ ଉଠାଇ ନଥିଲେ। ପ୍ରଶାସନର କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇନଥିବା ଅଭିଯୋଗ ହୋଇଥିଲା। ଏପରିକି ଘଟଣାସ୍ଥଳଠାରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ଫାଣ୍ଡିର ପୋଲିସ ଅଧିକାରୀ ମଧ୍ୟ ତୁରନ୍ତ ପହଞ୍ଚି ନଥିଲେ।
ଦୀର୍ଘ ସମୟ ଧରି ମୃତଦେହ ରାସ୍ତାକଡ଼ରେ ପଡ଼ି ରହିବାରୁ ଲୋକଙ୍କ ମଧ୍ୟରେ ଜନଅସନ୍ତୋଷ ତୀବ୍ର ହୋଇଥିଲା। ପରେ ଉତ୍ତ୍ୟକ୍ତ ଜନତା ବାହାଡ଼ାଝୋଲା ଫାଣ୍ଡିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ଫାଣ୍ଡିର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା।ଘଟଣା ସମୟରେ ଦାଶରଥି ନାୟକ ଓଡ଼ଗାଁ ଥାନା ଅଧିକାରୀ ଏବଂ କାଶୀନାଥ ଦାସ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଦୀର୍ଘ ୧୯ ବର୍ଷ ପରେ ଏହି ଘଟଣାର ଜଣେ ଅଭିଯୁକ୍ତ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.