ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଓ ପୀଡ଼ିତାଙ୍କୁ ସହାୟତା ଉପରେ ଗୁରୁତ୍ୱ,
ଓଡ଼ଗାଁ, ୨୬।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର କୁରାଳସ୍ଥିତ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ନିର୍ଯାତନା, ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଏବଂ ପୀଡ଼ିତାଙ୍କୁ ଆଇନଗତ ସହାୟତା ସମ୍ପର୍କିତ ଏକ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି।ତାଲୁକ ଆଇନ ସେବା ପ୍ରାଧିକରଣ ସଚିବ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଂଘମିତ୍ରା ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ରାଜେନ୍ଦ୍ର କୁମାର ଦାସ, ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଧିକାରୀ ଏସ୍.ଆର୍. ତୋଷାଳୀ, ଓକିଲ ସଂଘ ସଭାପତି ସୁଶାନ୍ତ ମିଶ୍ର, ସମ୍ପାଦକ ଚିରଞ୍ଜିବୀ ଦାଶ, ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବଗ୍ରାହୀ କର, ଇଂରାଜୀ ବିଭାଗ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ଗୋବିନ୍ଦଚନ୍ଦ୍ର ସାହୁ ଓ ଇନ୍ଦୁଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ପାଇଁ ସେବା ଯୋଜନା-୨୦୧୬ ଓ କ୍ଷତିପୂରଣ ଯୋଜନା-୨୦୧୭, ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ ସମେତ ବିଭିନ୍ନ ଆଇନଗତ ବ୍ୟବସ୍ଥା ଓ ପୀଡ଼ିତାଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା ସମ୍ପର୍କରେ ବିଚାରପତି ଓ ଆଇନଜୀବୀ ମାନେ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଶିବିରରେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ। ଓଡ଼ଗାଁ ତାଲୁକ ଆଇନ ସେବା ପ୍ରାଧିକରଣର ସଂଯୋଜିକା ଶ୍ରଦ୍ଧାଞ୍ଜଳି ରଥ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।