ବେଆଇନ ବାଲି ପରିବହନ ବେଳେ ୫ ଭାରୀଯାନ ଜବତ: ୫ ଡ୍ରାଇଭର ଅଟକ, ତଦନ୍ତ ଜାରି

12

ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ବେଆଇନ ବାଲି ପରିବହନ ବିରୋଧରେ ରାଉରକେଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଶ୍ରା ବ୍ଲକ୍‌ର ତେତେରକେଲା ଘାଟ ନିକଟରୁ ୫ଟି ବାଲି ବୋଝେଇ ଭାରୀଯାନ ଜବତ କରାଯାଇଛି। ଜବତ ଗାଡ଼ି ମଧ୍ୟରେ ୩ଟି ହାଇୱା ଓ ୨ଟି ଡମ୍ପର ରହିଛି। ଏହି ଘଟଣାରେ ୫ ଜଣ ଡ୍ରାଇଭରଙ୍କୁ ବନ ବିଭାଗ ପକ୍ଷରୁ ଅଟକ ରଖାଯାଇଛି।
ରାଉରକେଲା ବନ ବିଭାଗ ଡିଏଫଓ ରବିକାନ୍ତ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ସୁରଜିତ ସାହୁ ଓ ଗଜେନ୍ଦ୍ର ମାଥୁରଙ୍କ ସମେତ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଗୁରୁବାର ରାତି ପ୍ରାୟ ୨ଟା ସମୟରେ ତେତେରକେଲା ଘାଟ ନିକଟରେ ଚଢ଼ାଉ କରିଥିଲେ। ଏହି ସମୟରେ ବାଲି ପରିବହନ କରୁଥିବା ୫ଟି ଭାରୀଯାନକୁ ଜବତ କରାଯାଇଥିଲା।
ସୂଚନା ଅନୁସାରେ, ବିଶ୍ରା ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ବନ କର୍ମଚାରୀ ମୁତୟନ ଥିଲେ। ତେତେରକେଲା ଘାଟ ଅଞ୍ଚଳରେ ବେଆଇନ ବାଲି ଉଠାଣ ଓ ପରିବହନ ହେଉଥିବା ସୂଚନା ପାଇ ବନ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।
ତେବେ ବେଆଇନ ବାଲି ବ୍ୟବସାୟରେ ସମ୍ପୃକ୍ତ ଥିବା କଥା କୁହାଯାଉଥିବା କିଛି ବ୍ୟକ୍ତି ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି। ଜବତ ଗାଡ଼ିଗୁଡ଼ିକରେ ଥିବା ବାଲିର ଉତ୍ସ, ସମ୍ପୃକ୍ତ ବ୍ୟକ୍ତି ଏବଂ ବାଲି ପରିବହନ ପାଇଁ ଆବଶ୍ୟକ ଅନୁମତି ଥିଲା କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ବେଆଇନ ବାଲି ଖନନ ଓ ପରିବହନ ବିରୋଧରେ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.