କେନ୍ଦୁଝର,ତା୨୫/୯- ସ୍ଥାନୀୟ ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ “ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ” ପାଳିତ ହୋଇଯାଇଛି। ୩୦୦ ଜଣ ଯୁବ ସ୍ବେଚ୍ଛାସେବୀଙ୍କ ଗହଣରେ ଏହା ସମ୍ପନ୍ନ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ଡକ୍ଟର ସଞ୍ଜୟ କୁମାର ପାତ୍ର ଅଧ୍ୟକ୍ଷତା କରି କହିଲେ ଯେ ମାନବ ସେବାହିଁ ମାଧବ ସେବା, ଆମକୁ ନିସ୍ଵାର୍ଥପର ଭାବରେ ସେବା କରିବାକୁ ହେବ। ସମ୍ମାନନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୂଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପ୍ରଭୁପାଦ ଦାସ, ପୂର୍ବତନ ଜାତୀୟ ସେବା ଜିଲ୍ଲା ସଂଯୋଜିକା ଡକ୍ଟର ଅନୁପମା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ମହତ୍ତ୍ୱ,ଲକ୍ଷ୍ୟ, ଉଦ୍ଦେଶ୍ୟ ସହିତ ସକାରାତ୍ମକ ମାନସିକତାରେ ଅନ୍ୟ ମାନଙ୍କୁ ସମର୍ପଣ ସେବା ମାଧ୍ୟମରେ ଖୁସି ବାଣ୍ଟିବା ଆମର କର୍ତ୍ତବ୍ୟ ବୋଲି ସମସ୍ତେ କହିଥିଲେ। ସେବାକାର୍ଯ୍ୟ ବେଳେ ଆମେ କାହାରି ତିରସ୍କାରକୁ ଶୁଣିବା ନାହିଁ ବୁଝାଇ ଥିଲେ। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ପ୍ରତିଷ୍ଠାତା ତଥା ଓଡିଶା ଗାନ୍ଧୀ ବିଚାର ପରିଷଦ ସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟଵକ୍ତା ଭାବରେ ଯୋଗ ଦେଇ କହିଲେ କି ୧୯୬୯ ମସିହାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୦୦ତମ ଜନ୍ମଜୟନ୍ତୀ ପାଳନ ଅବସରରେ ସେପ୍ଟେମ୍ବର ୨୪ ତାରିଖ ଦିନ ୩୭ଟି ବିଶ୍ୱବିଦ୍ୟାଳୟରେ ୪୦ ହଜାର ଛାତ୍ରଛାତ୍ରୀ ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ନୂତନ ଭାବରେ “ଜାତୀୟ ସେବା ଯୋଜନା” ଆରମ୍ଭ ହୋଇଥିଲା। ଏହା ମହାତ୍ମା ଗାନ୍ଧୀଜୀଙ୍କ ସ୍ୱପ୍ନ ଥିଲା। ଓଡିଶାରେ ଉତ୍କଳମଣି ଗୋପବନ୍ଧୁ, ମାଆ ରମାଦେବୀ ସେବା କାର୍ଯ୍ୟରେ ଆମ ପାଇଁ ମାର୍ଗଦର୍ଶକ ଅଟନ୍ତି।ସଫଳ ସେବାକାର୍ଯ୍ୟ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କୂଳପତି ଓ ଅତିଥି ମାନେ ସାଟିଫିକେଟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ନିଶା ମୁକ୍ତ ଭାରତ ଗଠନ ପାଇଁ କୂଳପତି ଗଣଶପଥ କରାଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ରଶ୍ମିକାନ୍ତ ପ୍ରଧାନ ଯଂଯୋଜନା କରି ଥିଲେ। ଶିକ୍ଷା ବିଭାଗ ଅଧ୍ୟାପକ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପାୟଲ କୁମାରୀ, ଦୀନେଶ ମିଶ୍ର, ତୁଷାର ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।