ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍ କାରଖାନାରୁ ବାୟୁ, ଜଳ ଓ ପରିବେଶ ପ୍ରଦୂଷଣ ଅଭିଯୋଗ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଶ୍ରୀପୁରାବାସୀ

42

ସ୍ଲରୀ ପଣ୍ଡ ବନ୍ଦ ଦାବି:୧୫ ଦିନରେ ପଦକ୍ଷେପ ନହେଲେ ଧାରଣା ଚେତାବନୀ

ଝାରସୁଗୁଡ଼ା, ୨୫/୯: ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍ କାରଖାନାରୁ ହେଉଥିବା ବାୟୁ, ଜଳ ଓ ପରିବେଶ ପ୍ରଦୂଷଣର ସ୍ଥାୟୀ ସମାଧାନ ଏବଂ ହଲଦାକାନି ଅଞ୍ଚଳର ୬୭ ଏକର ଜମିରେ ନିର୍ମିତ ଟେଲିଙ୍ଗ୍ ପଣ୍ଡ ବା ସ୍ଲରୀ ପଣ୍ଡକୁ ବନ୍ଦ କରିବା ଦାବିରେ ଶ୍ରୀପୁରା ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କାରଖାନାର ଚିମନୀରୁ ନିର୍ଗତ ଧୂଆଁ, ଧୂଳିକଣା ଓ ଫ୍ଲାଇ ଆଶ୍‌ ଯୋଗୁଁ ଅଞ୍ଚଳର ପରିବେଶ ପ୍ରଭାବିତ ହେଉଛି। ଏହାଦ୍ୱାରା ଶ୍ୱାସକ୍ରିୟାଜନିତ ସମସ୍ୟା, ଆସ୍‌ମା, କାଶ ଓ ଚର୍ମରୋଗ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ହଲଦାକାନିରେ ଥିବା ସ୍ଲରୀ ପଣ୍ଡରୁ ଦୂଷିତ ପାଣି ନିର୍ଗତ ହୋଇ ଚାଷଜମି, ପୋଖରୀ, ନାଳ ଓ ଗୋଚର ଜମି ପ୍ରଭାବିତ ହେଉଥିବା ଗ୍ରାମବାସୀ ଦାବି କରିଛନ୍ତି। ଏହାର ପ୍ରଭାବରେ କୃଷି, ମାଛଚାଷ ଓ ଗୋରୁଗାଈଙ୍କ ଖାଦ୍ୟ ଉପରେ ସମସ୍ୟା ସୃଷ୍ଟି ହେଉଥିବା ସେମାନଙ୍କ ଅଭିଯୋଗ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍ଲରୀ ପଣ୍ଡ ନିର୍ମାଣ ସମୟରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ନିୟମ ଉଲ୍ଲଂଘନ କରାଯାଇଥିବା ସହ ଉପଯୁକ୍ତ ଭାବେ ଜନଶୁଣାଣି କରାଯାଇନାହିଁ। ତେଣୁ ଜନବସତି ନିକଟରେ ଥିବା ସ୍ଲରୀ ପଣ୍ଡକୁ ତୁରନ୍ତ ବନ୍ଦ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରିବା, ବାୟୁ, ଜଳ ଓ ମୃତ୍ତିକାର ଗୁଣବତ୍ତା ଏକ ନିରପେକ୍ଷ ସଂସ୍ଥା ମାଧ୍ୟମରେ ପରୀକ୍ଷା କରାଇ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହୋଇଛି। ଏଥିସହ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ଓ ନିଶୁଳ୍କ ଚିକିତ୍ସା ସୁବିଧା ଯୋଗାଇବାକୁ ମଧ୍ୟ ଦାବି କରାଯାଇଛି।

ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ଓ କମ୍ପାନୀ ପକ୍ଷରୁ ଠୋସ୍ ପଦକ୍ଷେପ ନିଆନଗଲେ ସ୍ଲରୀ ପଣ୍ଡ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଦାବିପତ୍ରର ନକଲ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପଠାଯାଇଛି।

ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ଭୋଇ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଦାବିପତ୍ର ପ୍ରଦାନ ସମୟରେ ଶ୍ରୀପୁରା ଗ୍ରାମର ତ୍ରିନାଦ ରୋହିଦାସ, କ୍ଷମାଶୀଳ ରୋହିଦାସ, ଲକ୍ଷ୍ମଣ ରୋହିଦାସ, ଅର୍ଜୁନ ରୋହିଦାସଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

ଏନେଇ ଜେଏସଡବ୍ଲୁ ଜେଏଫଇ ଷ୍ଟିଲ୍‌ର ଉପସଭାପତି ଜେ.ପି. ସିଂଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ କମ୍ପାନୀ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ଅଭିଯୋଗ ବିଷୟରେ ଜାଣିବା ପରେ ଘଟଣା ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.