ଗଭୀର ଅବପାତ ପ୍ରଭାବରେ ତିନିଦିନର ଲଗାଣ ବର୍ଷା

11

ବେହାଲ ଓଡ଼ଗାଁ ଅଞ୍ଚଳ; ରାସ୍ତାରେ ଗଛ, ଘରେ ପଶିଲା ପାଣି


ଓଡ଼ଗାଁ, ୨୪।୯(ଶ୍ରୀକାନ୍ତ କୁମାର ମିଶ୍ର): ଗଭୀର ଅବପାତ ପ୍ରଭାବରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଥିବା ବେଳେ କେତେକ ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ, ବୁଢ଼ାବୁଢ଼ୀ ଆଣି ଜଳଭଣ୍ଡାର ରାସ୍ତାରେ ଏକ ବାବଲ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଖବର ପାଇ ଓଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲା। ସେହିପରି ସାକିରୀ ପଞ୍ଚାୟତର ପାଣିଭଣ୍ଡାର ରାସ୍ତା ସହ ୟୁପି ସ୍କୁଲ ପାଚେରୀରେ ପଡ଼ିଥିବା ଏକ ବଡ଼ ଚାକୁଣ୍ଡା ଗଛକୁ ମଧ୍ୟ ଅଗ୍ନିଶମ ବାହିନୀ କାଟି ହଟାଇଥିଲା। ଅନ୍ୟପକ୍ଷରେ, କୋମଣ୍ଡ ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗରାଜ ପ୍ରସାଦ ଗାଁରେ ଏକ ଘରେ ବର୍ଷାଜଳ ପଶିଯିବାରୁ ପରିବାର ଲୋକେ ରୋଷେଇ କରିବାରେ ଅସୁବିଧାରେ ପଡ଼ିଥିଲେ। କିଛି ଘଣ୍ଟା ଧରି ସେମାନେ ଖଟ ଉପରେ ଆଶ୍ରୟ ନେଇଥିଲେ। ପରେ ପମ୍ପ ଯୋଗେ ପାଣି ନିଷ୍କାସନ କରାଯିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସେହିପରି ଭାଡ଼ିକିଳା ପଞ୍ଚାୟତର ଭାଡ଼ିକିଳାଠାରେ ସଠିକ୍‌ ଭାବେ ପାଣି ନିଷ୍କାସନ ହୋଇ ନପାରିବାରୁ ଦୀର୍ଘ ସମୟ ଧରି ରାସ୍ତାରେ ପାଣି ଜମି ରହିଥିଲା। ଫଳରେ ଲୋକଙ୍କ ଯାତାୟାତ ପ୍ରଭାବିତ ହୋଇଥିଲା। ଏଥିସହିତ ଗତ ୨୨ ତାରିଖରେ ଗୌଡ଼ପୁଟଠାରୁ ଗୁଆନ୍ଦ ଯାଇଥିବା ରାସ୍ତାରେ ମଧ୍ୟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ମଧ୍ୟ ପହଞ୍ଚି ଗଛ କାଟି ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ତିନିଦିନର ଲଗାଣ ବର୍ଷାରେ ଓଡ଼ଗାଁ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁଁ ଅବରୋଧ ହଟାଯାଇ ଲୋକଙ୍କ ଯାତାୟାତକୁ ସ୍ୱାଭାବିକ କରାଯାଇଥିଲା।

Leave A Reply

Your email address will not be published.