ଚାକିରି କରାଇଦେବା ନାଁରେ ୫୩,୮୦୦ ଟଙ୍କା ଠକେଇ ଅଭିଯୋଗ

15


ଟଙ୍କା ଫେରସ୍ତ ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟରେ ଯୁବକଙ୍କୁ ଘେରିଲେ ଅଭିଯୋଗକାରୀ,


ଓଡ଼ଗାଁ, ୨୩ା୯(ଶ୍ରୀକାନ୍ତ କୁମାର ମିଶ୍ର):
ଅଙ୍ଗନବାଡ଼ି କର୍ମୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୫୩ ହଜାର ୮ଶହ ଟଙ୍କା ନେଇଥିବା ଅଭିଯୋଗକୁ କେନ୍ଦ୍ର କରି ଓଡ଼ଗାଁରେ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ଟଙ୍କା ଫେରସ୍ତ ଦାବିରେ ଅଭିଯୋଗକାରୀ ସିଡିପିଓଙ୍କ କାର୍ଯ୍ୟାଳୟରେ ଯୁବକଙ୍କୁ ଘେରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଓଡ଼ଗାଁ ଥାନା କୁରାଳ ବେହେରା ସାହିର ସନ୍ତୋଷ ପ୍ରଧାନ (୩୦) ସେହି ସାହିର ପ୍ରଶାନ୍ତ କୁମାର ଭ୍ରମରବରଙ୍କ ସ୍ତ୍ରୀଙ୍କୁ ଅଙ୍ଗନବାଡ଼ି କର୍ମୀ ଚାକିରି କରାଇଦେବାକୁ କହି ତିନି କିସ୍ତିରେ ୫୩ ହଜାର ୮ଶହ ଟଙ୍କା ନେଇଥିଲେ। ତେବେ ଦିନ ପରେ ଦିନ ବିତିଥିଲେ ମଧ୍ୟ ଚାକିରି ସମ୍ପର୍କରେ କୌଣସି ସୁଫଳ ନମିଳିବାରୁ ପ୍ରଶାନ୍ତ ଟଙ୍କା ଫେରସ୍ତ ମାଗିଥିଲେ। ମାତ୍ର ଚାକିରି ହୋଇଯିବ ବୋଲି କହି ସନ୍ତୋଷ ଟଙ୍କା ଫେରାଇବାରେ ବିଳମ୍ବ କରିଆସୁଥିବା ଅଭିଯୋଗ ହୋଇଛି। ଏହି ମଧ୍ୟରେ ବୁଧବାର ଅପରାହ୍ନରେ ସନ୍ତୋଷ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟାଳୟକୁ ଆସିଥିବା ଖବର ପାଇ ପ୍ରଶାନ୍ତ ଓ ତାଙ୍କ ପୁଅ ସେଠାରେ ପହଞ୍ଚି ଟଙ୍କା ଫେରସ୍ତ ପାଇଁ ତାଙ୍କୁ ଘେରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସିଡିପିଓ ଲହଡ଼ିବାଳା ପ୍ରଧାନ ଓଡ଼ଗାଁ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ସୂଚନାନୁସାରେ, କୁରାଳ ୩ ନମ୍ବର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ପଦବୀ ପୂରଣ ପାଇଁ ଗତ ଅଗଷ୍ଟ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୮ ରହିଥିଲା। ତେବେ ପ୍ରଶାନ୍ତ ଅନଲାଇନରେ ଆବେଦନ କରିବା ସମୟରେ ତାଙ୍କ ସ୍ତ୍ରୀଙ୍କ ବୟସ ୩୫ ବର୍ଷରୁ ଅଧିକ ଥିବାରୁ ଆବେଦନ ଗ୍ରହଣୀୟ ହୋଇନଥିଲା। ଏହା ଜାଣିବା ପରେ ପ୍ରଶାନ୍ତ ସନ୍ତୋଷଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ।
ଅନ୍ୟପକ୍ଷରେ, ସିଡିପିଓଙ୍କ କାର୍ଯ୍ୟାଳୟରେ ଆଲୋଚନା ବେଳେ ଉକ୍ତ ଖାଲି ପଦବୀ ପୂରଣ ପ୍ରକ୍ରିୟା ସରିଥିବା ବେଳେ ୨୫ ତାରିଖରେ ଫଳାଫଳ ଘୋଷଣା ହେବ। ଫଳରେ ଟଙ୍କା ଫେରସ୍ତ କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ପୁଲିସ ଉପସ୍ଥିତିରେ ସନ୍ତୋଷ ତିନି ଦିନ ମଧ୍ୟରେ ପ୍ରଶାନ୍ତଙ୍କୁ ସମସ୍ତ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି। ତିନି ଦିନ ପରେ ଟଙ୍କା ଫେରସ୍ତ ହେଉଛି କି ଘଟଣା ଅନ୍ୟ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଛି।

Leave A Reply

Your email address will not be published.