ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପାଳିତ ହେଲା ସୁନିଆ ଓ ବାମନ ଜନ୍ମ

32

  • ୩ ସୁନା ଥାଳିରେ ଲାଗି ହେଲା ୩ ବାଡ଼ କାକରା,
  • ଷୋଡ଼ଶ ଉପଚାରରେ ପୂଜା ନୈବେଦ୍ୟ ଅର୍ପଣ,


ଓଡ଼ଗାଁ, ୨୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ଗୁପ୍ତ ଅଯୋଧ୍ୟା ତଥା ସ୍ୱର୍ଣ୍ଣକଳସ କ୍ଷେତ୍ରର ଅଧିଶ୍ୱର ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ବୁଧବାର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଅବସରରେ ବାମନ ଜନ୍ମ ସହ ସୁନିଆ ପର୍ବ ପାରମ୍ପରିକ ରୀତିନୀତି ଅନୁଯାୟୀ ରୀତିମତେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତାଙ୍କୁ ରତ୍ନ ସିଂହାସନରେ ସ୍ୱତନ୍ତ୍ର ଭାବେ ସୁନାବେଶରେ ସଜ୍ଜିତ କରାଯାଇଥିଲା । ଏବଂ ବିଜେ ପ୍ରତିମାଙ୍କ ନିକଟରେ ୩ଟି ସୁନା ଥାଳିରେ ୩ ବାଡ଼ କାକରା ଲାଗି କରାଯାଇ ଷୋଡ଼ଷ ଉପଚାରରେ ନୈବେଦ୍ୟ ଅର୍ପଣ କରାଯାଇଥିଲା। ସୁନିଆ ପର୍ବ ଅବସରରେ ପବିତ୍ର ଉତ୍କଳୀୟ ନବବର୍ଷ ୧୪୩୪ ସାଲ ଏବଂ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୭୦ ଅଙ୍କର ପ୍ରଥମ ଦିବସ ପାଳିତ ହୋଇଥିଲା। ପ୍ରଭୁଙ୍କ ସମ୍ମାନାର୍ଥେ ପ୍ରଜାମାନଙ୍କ ପକ୍ଷରୁ ୧୬ ହଜାର ୧୦୫ ଟଙ୍କା ଭେଟି ପ୍ରଦାନ କରାଯାଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ସକାଳ ନୀତି ସମାପନ ପରେ ମଧ୍ୟାହ୍ନ ୧୨ଟା ୩୦ରେ ସୁନିଆ ନୀତି ଆରମ୍ଭ ହୋଇଥିଲା।

ଆଜ୍ଞାମାଳ ପାଇ ବନାରସୀ ପାଟବସ୍ତ୍ରରେ ସଜ୍ଜିତ ଶ୍ରୀଜିଉଙ୍କ ବିଜେ ପ୍ରତିମାଙ୍କୁ ରୁପା ଖଟୁଳିରେ ଜୟବିଜୟ ଦ୍ୱାର ନିକଟକୁ ବିଜେ କରାଯାଇଥିଲା। ପୁରୋହିତ ତଥା ପରିଚ୍ଛା ଶେଷଦେବ ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରତିଷ୍ଠା ବିଧି ସମ୍ପନ୍ନ ପରେ ପୂଜାପଣ୍ଡା କେଦାର ମହାପାତ୍ର ଷୋଡ଼ଶ ଉପଚାରରେ ପୂଜାବିଧି ସମ୍ପନ୍ନ କରିଥିଲେ। ଘଣ୍ଟ, ଘଣ୍ଟା ଓ କାହାଳୀ ବାଦ୍ୟର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିଆ ପଣ୍ଡା ବେଣୁଧର ନନ୍ଦ, ସୁଆର ଦିବାକର ମହାପାତ୍ର, କୋଠ ସୁଆର ରଘୁନାଥ ପଣ୍ଡାଙ୍କ ସମେତ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ସୁଆର ସେବକ ସଭାପତି ସୁବ୍ରତ ପଣ୍ଡାଙ୍କ ଉପସ୍ଥିତିରେ ସମସ୍ତ ନୀତି ୩ ସମ୍ପାଦନା ହୋଇଥିଲା। ସୁନିଆ ପର୍ବ ଓ ବାମନ ଜନ୍ମ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଯାଇଥିଲା। ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ସମସ୍ତ ନୀତିକାନ୍ତି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.