- ସୁଇଚ୍ ଟିପି କଲେ ଲୋକାର୍ପଣ କଲେ ଜିଲ୍ଲାପାଳ
- ଉପକୃତ ହେବେ ୫୦ ହଜାର ଉପଭୋକ୍ତା
ଓଡ଼ଗାଁ, ୨୩।୯(ଶ୍ରୀକାନ୍ତ କୁମାର ମିଶ୍ର): ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ନୟାଗଡ଼ (ରାଜପାଟଣା)-ଶରଣକୁଳ-ଓଡ଼ଗାଁ ନୂତନ ୩୩ କେଭି ବିଦ୍ୟୁତ ଲାଇନ୍ ବୁଧବାର କାର୍ଯ୍ୟକ୍ଷମ ହୋଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମାଛିପଡ଼ା ବିଦ୍ୟୁତ ଷ୍ଟ୍ରକଚରରେ ପୂଜାର୍ଚ୍ଚନା ପରେ ନଡିଆ ଭାଙ୍ଗି ସୁଇଚ୍ ଟିପି ଏହି ଲାଇନ୍ର ଲୋକାର୍ପଣ କରିଥିଲେ। ନୂତନ ଲାଇନ୍ କାର୍ଯ୍ୟକ୍ଷମ ହେବା ଫଳରେ ଓଡ଼ଗାଁର ଶ୍ରୀରଘୁନାଥଜିଉ ଓ ଶରଣକୁଳର ବାବା ଲଡ଼ୁକେଶ୍ୱରଙ୍କ ପୀଠ ସମେତ ଓଡ଼ଗାଁ, ଶରଣକୁଳ, କୁରାଳ ଓ ବାହାଡ଼ାଝୋଲା ଅଞ୍ଚଳର ୫୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଦୀର୍ଘଦିନ ଧରି ଲାଗିରହିଥିବା ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ହ୍ରାସ ପାଇବା ନେଇ ଆଶା ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ, ସ୍ୱାଧୀନତା ପରବର୍ତ୍ତୀ ସମୟରୁ ପ୍ରାୟ ୬୦ ବର୍ଷ ଧରି ରାଜପାଟଣା ଗ୍ରୀଡ୍ରୁ ଶରଣକୁଳ ଓ ଓଡ଼ଗାଁକୁ ନଦୀ, ନାଳ, ବିଲ, ବଣ ଓ ପାହାଡ଼ ଦେଇ ଯାଇଥିବା ପୁରୁଣା ୩୩ କେଭି ଲାଇନ୍ ଉପରେ ଏହି ଅଞ୍ଚଳ ନିର୍ଭର କରୁଥିଲା। ଅତ୍ୟଧିକ ପୁରୁଣା କାରଣରୁ ଏହାର ରକ୍ଷଣାବେକ୍ଷଣ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଫଳରେ ଉପଭୋକ୍ତାମାନେ ବର୍ଷସାରା ବିଦ୍ୟୁତ ବିଭ୍ରାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ଭୋଗୁଥିଲେ। ଏହି ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପାଇବା ପରେ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ୱରେ ନୂତନ ୩୩ କେଭି ଲାଇନ୍ ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ଏକ ଗ୍ରାମର ବିବାଦ ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ଏହା କାର୍ଯ୍ୟକ୍ଷମ ହୋଇନପାରି ଅଟକିଥିଲା। ଶେଷରେ ପ୍ରଶାସନ, ଲୋକପ୍ରତିନିଧି ଓ ବିଦ୍ୟୁତ ବିଭାଗର ଉଦ୍ୟମରେ ଏହାର ସମାଧାନ ହୋଇ ଲାଇନ୍ଟି ଚାର୍ଜ କରାଯାଇଛି । ଲୋକାର୍ପଣ ସମୟରେ ଟାଟା ପାୱାରର ଖୋର୍ଦ୍ଧା ଅଧୀକ୍ଷଣ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ଖାଡେଙ୍ଗା, ନୟାଗଡ଼ ଅଧୀକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, ରାମଚନ୍ଦ୍ର ପାତ୍ର, ନିହାର ରଞ୍ଜନ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ରଞ୍ଜନ ସାହୁ ଓ ପ୍ରକଳ୍ପ ମୁଖ୍ୟ ତୃପ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଲାଇନ୍ଟି ଚାର୍ଜ ହେବା ପରେ ଦୁଇ ଦିନ ଅନୁଧ୍ୟାନ କରାଯାଇ ଶରଣକୁଳ ଓ ଓଡ଼ଗାଁ ବିଦ୍ୟୁତ ଷ୍ଟ୍ରକଚରର ସମସ୍ତ ପାୱାର ଲୋଡ୍ ଏହି ନୂତନ ଲାଇନ୍କୁ ସ୍ଥାନାନ୍ତର କରାଯିବ ବୋଲି ଇଂ. ପ୍ରତ୍ୟୁଷ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।