- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶା ଜିଲ୍ଲାପାଳଙ୍କୁ ନେଇ ସମୀକ୍ଷା ବୈଠକ
- ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା : ଜିଲ୍ଲା, ବ୍ଲକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ ସହ ନିଜ ହେଡକ୍ଵାଟର୍ସରେ ସଜାଗ ରହିବାକୁ ନିର୍ଦ୍ଦେଶ
- ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇ ଦୁଇ ଦିନ ୨୩ ଏବଂ ୨୪ ତାରିଖ ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୨୩.୦୯.୨୦୨୬: ପୂର୍ବ-କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଏବଂ ଗତକାଲି ଠାରୁ ଆରମ୍ଭ ପ୍ରତିକୂଳ ପାଣିପାଗ ଓ ଗଭୀର ଅବପାତ କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆଭାସୀ ମାଧ୍ୟମରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ନେଇ ଗତକାଲି ୨୨.୯.୨୦୨୬ ରିଖ ସମୀକ୍ଷା କରିଛନ୍ତି।
ଏହି ଅବସରରେ ଆଜି ତା ୨୩.୯.୨୦୨୬ ରିଖ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶା ସମସ୍ତ ଜିଲ୍ଲାପାଳଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବୈତୁରା ଦୀପ ଙ୍କ ସହ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଆଇଏମଡିର ଆକଳନ ଅନୁଯାୟୀ, ଆସନ୍ତା କାଲି ୨୪ ରେଡ୍ ୱାର୍ଣିଂ ଓ ୨୫ ସେପ୍ଟେମ୍ବର ୨୦୨୬ ପାଇଁ ‘ଅରେଞ୍ଜ ୱର୍ଣିଂ’ ଜାରି କରାଯାଇଛି। ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କ୍ଷେତ୍ରସ୍ତରରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପର ସମୀକ୍ଷା କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କର ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ସଜାଗ ଓ ଉପସ୍ଥିତ ରହିବା ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ବିନା ମୁଖ୍ୟାଳୟ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ଏବଂ ବ୍ଲକସ୍ତରରେ ଚୂଡା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ସ୍ଥିତି ସମୀକ୍ଷା କରିବା ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ସାମଗ୍ରୀର ଅଭାବ ନହେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସି ଏସ ଓ ଏବଂ ସମସ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷାଜଳର ସୁଗମ ନିଷ୍କାସନ ସୁନିଶ୍ଚିତ କରିବା ତଥା ଜଳବନ୍ଦୀ ପରିସ୍ଥିତି କିମ୍ବା ଆକସ୍ମିକ ବନ୍ୟାର ଆଶଙ୍କା ହ୍ରାସ କରିବା ପାଇଁ ସମସ୍ତ ପୌରାଞ୍ଚଳର ଡ୍ରେନ୍ ଗୁଡିକୁ ଡି-ସିଲ୍ଟିଂ (ପଙ୍କ ନିଷ୍କାସନ) ପାଇଁ ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଗଛ ପଡ଼ିବା କିମ୍ବା ମାତ୍ରାଧିକ ବର୍ଷା ଯୋଗୁଁ ରାସ୍ତା ଅବରୋଧ ଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେଇ ଯଥାଶୀଘ୍ର ଯାତାୟାତ ସ୍ୱାଭାବିକ କରିବା ପାଇଁ ଅଗ୍ନିଶମ ସେବା କର୍ମଚାରୀଙ୍କୁ ସଜାଗ ରହିବା ସହ ବିଦ୍ୟୁତ୍ ସରବରାହରେ ବାଧା ଉପୁଜିଲେ ତୁରନ୍ତ ପୁନଃସ୍ଥାପନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ ଓ ଆବଶ୍ୟକ ସାଧନ ପ୍ରସ୍ତୁତ ରଖିବାକୁ ଟାଟା ପାୱାରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ, ମତ୍ସ୍ୟଜୀବୀଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ବର୍ତ୍ତମାନର ପାଣିପାଗ ଓ ବଜ୍ରପାତ ପରିସ୍ଥିତିରେ ନଦୀ ମଧ୍ୟକୁ ମାଛ ଧରିବା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଦେଶୀ ଡଙ୍ଗା ଯୋଗେ ଯାତାୟାତ ନକରିବାକୁ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କ ତତ୍ତ୍ୱାବଧାନରେ ମାଇକିଂ ଦ୍ଵାରା ବ୍ୟାପକ ସଚେତନତା କାର୍ଯ୍ୟ ଚାଲୁ ରହିଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ୨୩ ଓ ଆସନ୍ତା କାଲି ୨୪ ସେପ୍ଟେମ୍ବର ଦୁଇଦିନ ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ବିଭିନ୍ନ ବ୍ଲକର ବିଦ୍ୟାଳୟ ମାନଙ୍କରେ ୨୮ ଟି ସାମୟିକ ଆଶ୍ରୟ ସ୍ଥଳ, ଅଗ୍ନିଶମ ବିଭାଗର ପ୍ରସ୍ତୁତି,ଥୁଆମୂଳ ରାମପୁର,ଏମ ରାମପୁର,କୋକସରା ଏବଂ ଲାଞ୍ଜିଗଡ ବ୍ଲକ ର ଭୂସ୍ଖଳନ ଚିହ୍ନଟ ଓ ସତର୍କତା ,ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର,ଅତି ଆବଶ୍ୟକ ଔଷଧ ସହ ୧୩ ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ପ୍ରସ୍ତୁତ,କୃଷି ବିଭାଗ କର୍ମଚାରୀଙ୍କ ଦ୍ୱାରା ସମ୍ଭାବ୍ୟ ଫସଲ ନଷ୍ଟ ଉପରେ ସତର୍କତା, ସମସ୍ତ ତହସିଲ ରେ ୮୦୦୦ ପଲିଥିନ ବ୍ୟବହାର ପାଇଁ ମହଜୁଦ୍, ସମସ୍ତ ବ୍ଲକ ଓ ତହସିଲ ଠାରେ କଣ୍ଟ୍ରୋଲ ରୁମ ସହ ସହାୟତା ଓ ସୁଚନା ପାଇଁ ଜିଲ୍ଲା ଜରୁରୀ କଣ୍ଟ୍ରୋଲ ରୁମ ନମ୍ବର ୦୬୬୭୦ ୨୩୦୪୫୭ ଏବଂ ୦୬୬୭୦ ୨୩୦୪୫୫ ବ୍ୟବସ୍ଥା କରାଯାଇଛି।
ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କଠାରୁ ସୂଚନା ଗ୍ରହଣ, ଅବିଳମ୍ବେ ପଦକ୍ଷେପ ଗ୍ରହଣ ଏବଂ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଓ ବ୍ଲକସ୍ତରୀୟ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ତେଣୁ ସମସ୍ତ ଜନସାଧାରଣ ସଜାଗ ରହି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନା ଓ ପରାମର୍ଶ ପାଳନ କରିବା ସହ ଏହି ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।