ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ଟେକ୍କାଲି ମଣ୍ଡଳ ଅନ୍ତର୍ଗତ ରାଭିଭଲସା ନିକଟରେ ବୁଧବାର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି। ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବିଶାଖ ରାଓ , ଦିଲୀପ କୁମାର , ଶିବା ଓ ଶରତ। ଆହତ ଯୁବକଙ୍କ ନାମ ସଲମନ ରଜୁ ବୋଲି ଜଣାପଡ଼ିଛି।
ପ୍ରାଥମିକ ସୂଚନା ଅନୁସାରେ, ଏହି ୫ ଜଣ ଡାମର ଅଞ୍ଚଳର ବୋଲି ଜଣାପଡ଼ିଛି। ରେଳ ଧାରଣା ନିକଟରେ ଥିବା ସମୟରେ ସେମାନଙ୍କୁ ରାଜ୍ୟରାଣୀ ଏକ୍ସପ୍ରେସ୍ ଧକ୍କା ଦେଇଥିବା କୁହାଯାଉଛି। ଟ୍ରେନ୍ ଧକ୍କାରେ ୪ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ସଲମନ ରଜୁ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ରେଳବାଇ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ମୃତଦେହଗୁଡ଼ିକୁ ମଧ୍ୟ ଉଦ୍ଧାର କରାଯାଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି।
ଘଟଣାକୁ ନେଇ ରାଭିଭଲସା ଓ ଡାମର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏନେଇ ପୁଲିସ ଓ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ମୃତକଙ୍କ ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।