ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ପାଇଁ ଶିକ୍ଷକଙ୍କୁ ତାଲିମ
ବେଲଗୁଣ୍ଠା, ୨୧/୯: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବୈଠକ ଗୃହରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ଓ ଭିଜନ୍ ସ୍କ୍ରିନିଂ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ର ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣରେ ପ୍ରାୟ ୧୧୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ।
ଶିବିରରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ତପନ କୁମାର ପାତ୍ର ଯୋଗଦେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ଚିହ୍ନଟ, ପ୍ରାଥମିକ ଭିଜନ୍ ସ୍କ୍ରିନିଂ ଏବଂ ଆବଶ୍ୟକ ସ୍ଥଳେ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ବଳ ପ୍ରଶିକ୍ଷକ ବି.ଆର୍.ଟି. ଆଲୋକ କୁମାର ବେହେରା ଓ ଚନ୍ଦ୍ରକାନ୍ତି ସୁନ୍ଦରା ପ୍ରଶିକ୍ଷଣର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଉପଯୁକ୍ତ ସ୍କ୍ରିନିଂ ଦ୍ଵାରା ଚକ୍ଷୁ ସମସ୍ୟାରେ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଆଗାମୀ ଦିନରେ ହେବାକୁ ଥିବା ଚକ୍ଷୁ ଚିକିତ୍ସା ଶିବିରକୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ସହ ସହ-ଗୋଷ୍ଠୀ ଶିକ୍ଷାଧିକାରୀ ସୀମାଞ୍ଚଳ ଜାନି, ସନ୍ତୋଷ କୁମାର ପାତ୍ର ଓ ପ୍ରଶାନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଦ୍ୟାଳୟ ସ୍ତରରେ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଦୃଷ୍ଟିଶକ୍ତି ପରୀକ୍ଷା କରି ଚକ୍ଷୁ ସମସ୍ୟା ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଶିବିର ପରିଚାଳନାରେ ସମସ୍ତ ଆଇ.ଇ. ଭଲ୍ୟୁଣ୍ଟିୟର୍ ସହଯୋଗ କରିଥିଲେ।