ଗଜପତିରେ ଏସ ଆଇ ଆର-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ-୨୦୨୬ ଅଧୀନରେ ପ୍ରସ୍ତୁତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ନିର୍ବାଚନ ବିଭାଗ ଶ୍ରୀ ଅମିତ ବିଶ୍ୱାଳ , ଡେପୁଟି କଲେକ୍ଟର ପାରଳାଖେମୁଣ୍ଡି ଶ୍ରୀ କ୍ରୀତି ସାଇ ଶୁକ୍ଲା , ଜିଲ୍ଲାର ସମସ୍ତ ରାଜନୈତିକ ଦଳର ଜନ ପ୍ରତିନିଧି ଓ ଗଣମାଧ୍ଯମ ପ୍ରତିନିଧି ଗଣ ଉପସ୍ଥିତ ଥିଲେ।
ଗଜପତି ଜିଲ୍ଲାରେ ୨ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା :- ୧୩୬- ମୋହନା (ସଂରକ୍ଷିତ) ଓ ୧୩୭-ପାରଳାଖେମୁଣ୍ଡି ରହିଛି। ଏହି ସଂଶୋଧନ ପାଇଁ ୦୧.୦୭.୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ସଂଶୋଧନ ପ୍ରକ୍ରିୟା ସମୟରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ ଓ ସତ୍ୟାପନ କରିଥିଲେ। ୦୫.୦୭.୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ କରାଯିବା ପରେ ଦାବି ଓ ଆପତ୍ତି ଗ୍ରହଣ କରାଯାଇଥିଲା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାରେ ସେଗୁଡ଼ିକର ନିଷ୍ପତ୍ତି ନିଆଯାଇଛି।
ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୧୩୬- ମୋହନା (ସଂରକ୍ଷିତ) ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସଂଖ୍ୟା ମୋଟ -୨୩୨୬୬୨ ସେଥିମଧ୍ୟରୁ ପୁରୁଷ ସଂଖ୍ୟା -୧୧୪୩୭୪ , ମହିଳା ସଂଖ୍ୟା- ୧୧୮୨୮୪ ଓ ତୃତୀୟ ଲିଙ୍ଗ ୪ ଜଣ ରହିଛନ୍ତି। ୧୩୭-ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା- ୨୦୧୨୯୦ ସେଥି ମଧ୍ୟରୁ ପୁରୁଷ ସଂଖ୍ୟା ୧୦୦୦୦୪ , ମହିଳା ସଂଖ୍ୟା ୧୦୧୨୭୩ ଓ ତୃତୀୟ ଲିଙ୍ଗ ୧୩ ଜଣ ରହିଛନ୍ତି।
ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ( ଏସ ଆଇ ଆର )-୨୦୨୬ ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ମୋଟ – ୪୩୩୯୫୨ , ସେଥିମଧ୍ୟରୁ ପୁରୁଷ ସଂଖ୍ୟା- ୨୧୪୩୭୮, ମହିଳା ସଂଖ୍ୟା ୨୧୯୫୫୭ ଓ ତୃତୀୟ ଲିଙ୍ଗ ୧୭ ଜଣ ରହିଛନ୍ତି।
ଏହି ସଂଶୋଧନ ପ୍ରକ୍ରିୟା ସମୟରେ ଗଜପତି ଜିଲ୍ଲାର ଖସଡ଼ା ଭୋଟର ତାଲିକାରେ ମୋଟ ୪,୩୨,୦୯୮ ଜଣ ଭୋଟର ଥିବାବେଳେ , ଚୂଡ଼ାନ୍ତ ଭୋଟର ତାଲିକାରେ ଏହି ସଂଖ୍ୟା ୪,୩୩,୯୫୨ ଜଣକୁ ବୃଦ୍ଧି ପାଇଛି।
ଯାଞ୍ଚ ସମୟରେ ମୃତ୍ୟୁ , ସ୍ଥାନାନ୍ତରଣ , ଅନୁପସ୍ଥିତ/ଠାବ ହୋଇନଥିବା , ପୂର୍ବରୁ ପଞ୍ଜୀକୃତ ହୋଇଥିବା ଓ ଅନ୍ୟାନ୍ୟ କାରଣରୁ ଭୋଟର ତାଲିକାରେ ରଖିବା ଯୋଗ୍ୟ ନଥିବା ନାମଗୁଡ଼ିକୁ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ବାଦ ଦିଆଯାଇଛି। ଏହି କ୍ରମରେ ମୋଟ ୩୧,୫୨୦ଟି ଅସଂଗୃହୀତ ଫର୍ମ ଯାଞ୍ଚ ପରେ ତାଲିକାରୁ ବାଦ ଦିଆଯାଇଛି। ଏଥିମଧ୍ୟରୁ ୧୩୬-ମୋହନା ନିର୍ବାଚନମଣ୍ଡଳୀର ୧୪,୭୧୩ଟି ଏବଂ ୧୩୭-ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ୧୬,୮୦୭ଟି ଫର୍ମ ରହିଛି।
ଜିଲ୍ଲାରେ ଯୁବ ଯୁବତୀଙ୍କୁ ପ୍ରଥମ ଥର ପାଇଁ ଭୋଟର ଓ ମହିଳାଙ୍କ ନାମ ପଞ୍ଜୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏସ ଭି ଇ ଇ ପି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ଓ ପଞ୍ଜୀକରଣ କାର୍ଯ୍ୟକ୍ରମ କରାଯାଇଛି। ଏଥିସହିତ ଭୋଟରଙ୍କ ସୁବିଧା ପାଇଁ ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ଜନଶୁଣାଣି ମଧ୍ୟ ଆୟୋଜନ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାମ ଓ ତଥ୍ୟ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି। ଯୋଗ୍ୟ ନାଗରିକମାନେ , ବିଶେଷକରି ଯୁବକ , ଯୁବତୀ ଓ ମହିଳାମାନେ ନାମ ପଞ୍ଜୀକରଣ କରି ଭୋଟର ତାଲିକାକୁ ସଠିକ୍ , ସମ୍ପୂର୍ଣ୍ଣ ଓ ଅନ୍ତର୍ଭୁକ୍ତିମୂଳକ କରିବାରେ ସହଯୋଗ କରିବାକୁ ଆହ୍ବାନ କରାଯାଇଛି।

Leave A Reply

Your email address will not be published.