ବିଦ୍ୟାଳୟର ଜୈବ ବିବିଧତା ଅନୁସନ୍ଧାନ ଓ ସଂରକ୍ଷଣ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା, ୨୦/୦୯/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଜୈବ ବିବିଧତା ଅନୁସନ୍ଧାନ ଓ ସଂରକ୍ଷଣ ଉପରେ ଆଧାରିତ ‘ନେଚର କ୍ୟାମ୍ପ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ଏକଦିବସୀୟ ଶିବିରରେ ପ୍ରକୃତି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ, ସଚେତନତା ଓ ସଂରକ୍ଷଣ ମନୋଭାବକୁ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ପଞ୍ଜୀକରଣ ଓ ଅଭିମୁଖୀକରଣ ପରେ ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ହରିଲାଲ ପଧାନ ଓ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ତଥା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନରେନ୍ଦ୍ର ପଣ୍ଡା ଅତିଥି ଭାବରେ ଯୋଗଦେଇ ନେଚର କ୍ୟାମ୍ପର ଉଦଘାଟନ କରିଥିଲେ । ଶ୍ରୀ ପଧାନ ପ୍ରକୃତି ମଧ୍ୟରେ ସମସ୍ତ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ପ୍ରଜାତିଗୁଡ଼ିକର ବ୍ୟାବହାରିକ ଆବଶ୍ୟକତା ରହିଛି ବୋଲି ଭାବବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦେବତା ସ୍ୱାଗତ ଭାଷଣ ଦେବା ସହିତ ଦିନବ୍ୟାପୀ କାର୍ଯ୍ୟକ୍ରମର ସଂକ୍ଷିପ୍ତ ରୂପରେଖା ପ୍ରଦାନ କରିଥିଲେ । ଶିବିରରେ ଉପସ୍ଥିତ ୫୦ ଜଣ ପୂର୍ବଚୟନିତ ବିଦ୍ୟାଳୟ କ୍ଲବ ସଦସ୍ୟ ତଥା ଅଂଶଗ୍ରହଣକାରୀଙ୍କୁ ୫ଟି ଦଳରେ ବିଭକ୍ତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ଶିକ୍ଷକ ମାର୍ଗଦର୍ଶକଙ୍କ ସହ ବିଦ୍ୟାଳୟ ପରିସରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉଦ୍ଭିଦ ଓ ପ୍ରାଣୀଜଗତର ଅନୁସନ୍ଧାନ କରିଥିଲେ ।

ଅଂଶଗ୍ରହଣକାରୀମାନେ ବିଦ୍ୟାଳୟର ଇଷ୍ଟ ଜୋନ, ୱେଷ୍ଟ ଜୋନ, ନର୍ଥ ଜୋନ, ସାଉଥ ଜୋନ ଓ ନର୍ଥ-ୱେଷ୍ଟ ଜୋନରେ ଦଳଗତ ଭାବେ କ୍ଷେତ୍ର ଅଧ୍ୟୟନ କରି ସେମାନଙ୍କ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ ଓ ଉପସ୍ଥାପନ କରିଥିଲେ । କ୍ଷେତ୍ର ଅଧ୍ୟୟନ ପରେ ବିଭିନ୍ନ ଦଳ ଦ୍ୱାରା ସଂଗୃହୀତ ତଥ୍ୟର ସଂକଳନ କରାଯାଇ ବିଦ୍ୟାଳୟର ଜୈବବିବିଧତା ସଂରକ୍ଷଣ ପାଇଁ ପଦ୍ଧତି ପ୍ରସ୍ତୁତ ଓ ଚୂଡ଼ାନ୍ତ କରାଯାଇଥିଲା । ଅଂଶଗ୍ରହଣକାରୀମାନେ ନିଜ ନିଜ କ୍ଷେତ୍ର ଅଧ୍ୟୟନର ଫଳାଫଳ ଓ ଅନୁଭୂତିକୁ ‘ଲ୍ୟାବ ଇନ ଦ ଲ୍ୟାପ ଅଫ ନେଚର’ରେ ପ୍ରଦର୍ଶନ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବନଖଣ୍ଡ ସହକାରୀ ବନ ସଂରକ୍ଷକ ସସ୍ମିତା ବିଶ୍ୱାଳ ଓ ଗଙ୍ଗାଧର ମେହେର ୟୁନିଭରସିଟିରୁ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡ. ସତିଶ ପଟେଲ ଅତିଥି ଭାବେ ଯୋଗଦାନପୂର୍ବକ ଅଂଶଗ୍ରହଣକାରୀଙ୍କୁ ପ୍ରକୃତି ଓ ପ୍ରାକୃତିକ ଜିନିଷକୁ ଭଲ ପାଇବା ଓ ସମସ୍ତଙ୍କୁ ପ୍ରକୃତିର ବିବିଧତାକୁ ନିକଟରୁ ଜାଣିବା, ତାହାର ଗୁରୁତ୍ୱ ବୁଝିବା ଏବଂ ଏହାର ସୁରକ୍ଷା ପାଇଁ ଦାୟିତ୍ୱବୋଧ ବିକଶିତ କରିବାରେ ଏହି ନେଚର କ୍ୟାମ୍ପ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶିକ୍ଷଣୀୟ ଓ ଅନୁଭୂତିମୂଳକ ଅଭିଜ୍ଞତା ପ୍ରଦାନ କରେ ବୋଲି ଭାବ ବ୍ୟକ୍ତ କରିଥିଲେ । ମୂଲ୍ୟାୟନ ପରେ ଅଶୋକା ଗ୍ରୁପକୁ ସେମାନଙ୍କର ସର୍ବୋତ୍ତମ କ୍ରିୟାକଳାପ ଲାଗି ପୁରସ୍କୃତ କରାଯାଇଥିଲା । ନୀଳିମା ପଟେଲ, ଆଶିଷ ପୂଜାରୀ, ନିକିତା ଗଡ଼ତିଆ, ସୋନମ ପ୍ରିୟାଂଶୀ, ମୃଣ୍ମୟ ଦାଶ ପ୍ରମୁଖ ନେଚର କ୍ୟାମ୍ପର କ୍ରିୟାକଳାପରେ ଏବଂ ପବିତ୍ର ମୋହନ କବି, ଅକ୍ଷୟ ପାଣି, ଶୁଭଦତ୍ତ ପ୍ରଧାନ, ବିଜୟ ଦାଶ, ଓମପ୍ରକାଶ ନାଥ ଶର୍ମା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରି ଶିବିରକୁ ସଫଳ କରିଥିଲେ ।।