ନୂଆଁଖାଇ ଭେଟଘାଟରେ ଝାରସୁଗୁଡ଼ାରେ ଝୁମିଲେ ହଜାର ହଜାର ଲୋକ

10

ନବ ଦାସ ଫାଉଣ୍ଡେସନ ପକ୍ଷରୁ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା, ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ସମ୍ମାନିତ

ଝାରସୁଗୁଡ଼ା, ୨୦: ନୂଆଁଖାଇ ପର୍ବର ଭାଇଚାରା, ଏକତା ଓ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ନେଇ ଝାରସୁଗୁଡ଼ା ବେହେରାମାଳସ୍ଥିତ ନବ ଦାସ ଅଡିଟୋରିୟମରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ଭବ୍ୟ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି। ରବିବାର ସକାଳ ୧୦ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଜନସାଧାରଣ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ମା’ ସମଲେଶ୍ୱରୀ ଓ ସ୍ୱର୍ଗତ ନବ ଦାସଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଁଖାଇର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ସ୍ନେହ ଓ ସମ୍ପର୍କକୁ ମଜବୁତ କରିବା ସହ ପରସ୍ପର ମଧ୍ୟରେ ଥିବା ମାନ-ଅଭିମାନକୁ ଦୂର କରି ଏକତାର ସୂତ୍ରରେ ବାନ୍ଧି ରଖୁଥିବା ଏକ ନିଆରା ପରମ୍ପରା ବୋଲି ଦୀପାଳୀ କହିଥିଲେ। ଏହା ଆମ ସଂସ୍କୃତି ଓ ପରମ୍ପରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବାର ଏକ ଅନନ୍ୟ ମାଧ୍ୟମ ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ ଓ ସଂଗଠନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରା ଆଧାରିତ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ତୁଳସୀ ଡାନ୍ସ ଗ୍ରୁପ୍‌, ରୁବି ଡାନ୍ସ ଗ୍ରୁପ୍‌ ଓ ସୈଜଳ ପ୍ରଧାନ ଡାନ୍ସ ଗ୍ରୁପ୍‌ର ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏଥିସହ ଆଲୋକ ପାଣିଗ୍ରାହୀଙ୍କ ଫ୍ୟାଶନ୍‌ ଶୋ’ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋରଖା ସମାଜ, ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ, ଶିକ୍ଷାବିତ୍‌ ତପନ ବାରିକ, କଳା ଓ ସାହିତ୍ୟ କ୍ଷେତ୍ର ପାଇଁ ସୁରଙ୍ଗ ପ୍ରଧାନ ଏବଂ ରକ୍ତଦାନ ଶିବିର ଆୟୋଜନ ପାଇଁ ରାଜେଶ ପାଢ଼ୀ ଓ ପ୍ରଶାନ୍ତ ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା।

ମଞ୍ଚ ପରିଚାଳନା ପ୍ରତୀକ୍ଷା ରାଣୀ ତ୍ରିପାଠୀ ଓ ସୈଜଳ ପ୍ରଧାନ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଲାବତୀ ମିଞ୍ଜ, ଲଇକେରା ବ୍ଲକ ଅଧ୍ୟକ୍ଷ ସଞ୍ଜିତ ନାୟକ, ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଚିତ୍ରେଣୀ ପଟେଲ, ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ଝାରସୁଗୁଡ଼ା ପୌର ପରିଷଦ ଅଧ୍ୟକ୍ଷା ରାନୀ ହାତୀ, କାଉନସିଲର ତାପସ ରାୟ ଚୌଧୁରୀ, ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ରଘୁମଣି ପଟେଲ, ରବି ସିଂ, ସନ୍ଦୀପ ଅବସ୍ତୀ, ପ୍ରତାପ ନନ୍ଦ, ଆଲୋକ ତ୍ରିପାଠୀ, ଶଶି ଭୂଷଣ ତିୱାରୀ, ତୁଳସୀ ଦାସ, ବିଜେଡି ଯୁବ ସଭାପତି ରୁବିନ ପାଣ୍ଡେ, ମଦନ ହାତୀ, ଦିଗାମ୍ବର ଭୋଇ, ଦାମୋଦର ନାଥଙ୍କ ସମେତ ବହୁ ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

ହଜାର ହଜାର ଲୋକଙ୍କ ଉପସ୍ଥିତି ଓ ସାଂସ୍କୃତିକ ପରିବେଷଣ ମଧ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସବମୁଖର ପରିବେଶରେ ସମ୍ପନ୍ନ ହୋଇଥିଲା।

Leave A Reply

Your email address will not be published.