ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ସାମ୍ବାଦିକ ଓ ସମାଜସେବୀ ସମ୍ବର୍ଦ୍ଧିତ

8

ଝାରସୁଗୁଡ଼ା, ୨୦/୯: ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ଉତ୍ସବମୁଖର ପରିବେଶରେ ଆୟୋଜିତ ହୋଇଛି। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିନତମାମ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ, ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ରହିଲେ ଲୋକଙ୍କ ସ୍ୱାର୍ଥ ସାଧନ ଅଧିକ ପ୍ରଭାବଶାଳୀ ହୋଇପାରିବ। ସାମ୍ବାଦିକଙ୍କ ସକାରାତ୍ମକ ସମାଲୋଚନା ପ୍ରଶାସନକୁ ତ୍ରୁଟି ସୁଧାରିବା ସହ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥାଏ ବୋଲି ସେ ମତ ଦେଇଥିଲେ।

ଝାରସୁଗୁଡ଼ାରେ ଜିଲ୍ଲାପାଳ ଭାବେ ଏହା ତାଙ୍କର ପ୍ରଥମ ଦାୟିତ୍ୱ ହୋଇଥିବାରୁ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ଅନେକ ଯୋଜନା ରହିଥିବା ସେ ସୂଚନା ଦେଇଥିଲେ। ସାମ୍ବାଦିକମାନଙ୍କ ଆବଶ୍ୟକତା ପୂରଣ ଓ ସେମାନଙ୍କ ସହଯୋଗ ପାଇଁ ଜିଲ୍ଲା ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେବ ବୋଲି ସେ କହିବା ସହ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସ୍‌ପି ଜେମସ ସାମଦ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ରିତାକାନ୍ତି ବଳିଆରସିଂ ଯୋଗଦେଇ ସାମ୍ବାଦିକଙ୍କ ଭୂମିକା ଏବଂ ନୂଆଁଖାଇ ଭେଟଘାଟର ପରମ୍ପରା ଉପରେ ଆଲୋକପାତ କରିଥିଲେ। ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଭରତ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।

କାର୍ଯ୍ୟକ୍ରମରେ ରାୟଗଡ଼ାର ଗାୟତ୍ରୀ କଳା ସଂଗଠନ ପକ୍ଷରୁ ଢେମ୍‌ସା ନୃତ୍ୟ, ଲୋଇସିଂହାର ଶଙ୍କର ବେହେରା ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଓ ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଢୋଲ, ନିଶାନ ଓ ତାସାର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ। କଳାହାଣ୍ଡି ସାଂସ୍କୃତିକ ପରିଷଦ ଓ ବୌଦ୍ଧର ବାଉଁଶୁଣୀ ସାଂସ୍କୃତିକ ପରିଷଦର କଳାକାରମାନେ ମଧ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରି ମଞ୍ଚକୁ ଦୁଲୁକାଇଥିଲେ।

ଏହି ଅବସରରେ ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରମେଶ ଗାନ୍ଧୀ, ରାଜେଶ ପାଢ଼ୀ, ଅର୍ଜୁନ ମୋର, ଅରବିନ୍ଦ ବାରିକ ଓ ବରିଷ୍ଠ ସମ୍ବାଦପତ୍ର ବିକ୍ରେତା ବିଜୟ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ୟାରେଲାଲ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ସଂଘର କର୍ମକର୍ତ୍ତା ରବି ନାରାୟଣ ସାହୁ, ବିକ୍ରମ ମହାପାତ୍ର, ପ୍ରୀତମ ପଣ୍ଡା, ଚିଣ୍ଟୁ ଅଗ୍ରୱାଲ, ସନ୍ତୋଷ ଦଳାଇ, ବସନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.